ବିମାନର ଚକ ଧରି କେମିତି ଆସିଲା ୧୩ ବର୍ଷୀୟ ବାଳକ ?

ଜଣେ ୧୩ ବର୍ଷୀୟ ଆଫଗାନିସ୍ତାନ ବାଳକ କାମ୍ ଏୟାରର ବିମାନରେ କାବୁଲରୁ ଦିଲ୍ଲୀ ପହଞ୍ଚିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲା। ୯୪ ମିନିଟର ବିପଦପୂର୍ଣ୍ଣ ଯାତ୍ରା ପରେ ବାଳକ ଜଣକ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ର ଅଧିକାରୀମାନେ ତାଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ଚାଲୁଥିବା ଦେଖି ପଚରାଉଚରା କରିଥିଲେ । ଯାହା ଫଳରେ ଘଟଣା ସାମ୍ନାକୁ ଆସିଥିଲା। ଆଫଗାନିସ୍ତାନର ୧୩ ବର୍ଷୀୟ ବାଳକ ଏହି ବିପଦପୂର୍ଣ୍ଣ କାର୍ଯ୍ୟ କରିଛି ଯାହା ଅନେକଙ୍କୁ ଚକିତ କରିଛି। ସେ ବିମାନର ଚକ ପାଖରେ ବସି ଆଫଗାନିସ୍ତାନରୁ ଦିଲ୍ଲୀ ଉଡ଼ାଣ କରିଥିଲା। ସେ ୯୪ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିଥିଲା। ଯେତେବେଳେ ବିମାନଟି କାବୁଲରୁ ଉଡ଼ାଣ ଆରମ୍ଭ କଲା, ସେ ବିମାନର ପଛ ଚକରେ ଲୁଚି ରହିଥିଲା। ଯେତେବେଳେ ବିମାନ ଅବତରଣ କଲା, ସେତେବେଳେ ଜଣାପଡିଲା ଯେ ପିଲାଟି ଚକରେ ବସି ଆଫଗାନିସ୍ତାନରୁ ଦିଲ୍ଲୀ ଆସିଛି। ଏହି ଘଟଣା ରବିବାର ଆଫଗାନିସ୍ତାନ ବିମାନ କମ୍ପାନୀ KAM ଏୟାରର ବିମାନ ନମ୍ବର RQ4401 ରେ ଘଟିଥିଲା। ତେବେ ବାଳକଟିକୁ ତୁରନ୍ତ ଅଟକ ରଖାଯାଇଥିଲା ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ସମେତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ସେହି ଦିନ ଅପରାହ୍ନ ପ୍ରାୟ ୪ଟାରେ ଆଫଗାନିସ୍ତାନ ବାଳକକୁ ଅନ୍ୟ ଏକ ବିମାନରେ କାବୁଲ ଫେରାଇ ଦିଆଯାଇଥିଲା।
ତେବେ ଆଫଗାନ ବାଳକ କହିଛି ଯେ ସେ ଯାତ୍ରୀଙ୍କ ପଛରେ ବିମାନକୁ ପ୍ରବେଶ କରିଥିଲା। ତେବେ ସେ ଦ୍ୱାର ବାଟେ ନ ଯାଇ ହ୍ୱିଲ ୱେଲରେ ଚଢି ଯାଇଥିଲା। ନାବାଳକ ହୋଇଥିବାରୁ ପିଲା ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବନି। ବିଶେଷଜ୍ଞଙ୍କ ଅନୁସାରେ ବିମାନର ହ୍ୱିଲ ୱେଲରେ ଯାତ୍ରା କରିବା ଅସମ୍ଭବ। କାରଣ ବିମାନ ଉପରକୁ ଉଠିବା ସହ ଅକ୍ସିଜେନ ଲେବେଲ ବହୁତ କମିଯାଇଥାଏ। ଏହା ଛଡା ଆକାଶ ବହୁତ ଥଣ୍ଡା ଓ ଚକ ଭିତରକୁ ଯିବା ବେଳେ ଏଥିର ଚାପି ହୋଇ ମୃତ୍ୟୁ ଆଶଙ୍କା ମଧ୍ୟ ଥାଏ।