ମହଙ୍ଗା ପଡ଼ିଛି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ।

ମହଙ୍ଗା ପଡ଼ିଛି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା । ଗୋଟିଏ କାର ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍ । ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ । ଏଭଳି ଉଦାହରଣମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ନୋଟିସ ଧରାଇଛନ୍ତି। କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।ସୂଚନା ଥାଉକି, ତ୍ରିଶୂର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ । ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା । ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଖାତିର୍ କରିନଥିଲେ । ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସ ଆଗେ ଆଗେ ଯାଇଥିଲେ ।

ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ। ଏହି ପ୍ରମାଣ ସାମ୍ନାକୁ ଆସିବା ପରେ କେରଳ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାର ଚାଳକଙ୍କ ବିରୋଧରେ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ ପ୍ରଶଂସା କରାଯାଇଛି।

You might also like