ରକ୍ତ ନେବା ପରେ HIV ପଜିଟିଭ ହେଲେ ଶିଶୁ

ହସ୍ପିଟାଲରେ ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ରୋଗରେ ପୀଡିତ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଚାଇବାସା ଅଞ୍ଚଳରେ ।ଚାଇବାସା ସଦର ହସ୍ପିଟାଲରେ ଥାଲାସେମିଆ ରୋଗରେ ପୀଡିତ ଶିଶୁମାନଙ୍କୁ ରକ୍ତ ଦିଆଯାଇଥିଲା । କିନ୍ତୁ ସେହି ଶିଶୁମାନେ ପରବର୍ତ୍ତୀ ସମୟରେ HIV ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରବିବାର ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉମଧ୍ୟ ପୀଡିତ ଶିଶୁମାନଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତାରାଶି ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ସୋରେନ ଟ୍ୱିଟ କରି କହିଛନ୍ତି, “ଥାଲାସେମିଆରେ ପୀଡିତ ଶିଶୁମାନେ ସଂକ୍ରମିତ ହେବା ଅତ୍ୟନ୍ତ କଷ୍ଟଦାୟକ ।” ରାଜ୍ୟରେ ଥିବା ସମସ୍ତ ବ୍ଲଡ ବ୍ୟାଙ୍କଗୁଡିକର ଅଡିଟ କରି ପାଞ୍ଚ ଦିନରେ ରିପୋର୍ଟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରୀ ଇରଫାନ୍ ଅନ୍ସାରୀଙ୍କୁ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟ ପ୍ରକ୍ରିୟାରେ ଖରାପ ବ୍ୟବସ୍ଥାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଦିନେଶ କୁମାରଙ୍କ କହିବାନୁଯାୟୀ, “ଏହି ଶିଶୁମାନେ ସେପ୍ଟେମ୍ବର 13 ତାରିଖ ଦିନ ବ୍ଲଡ ଦିଆଯାଇଥିଲା । 18 ଅକ୍ଟୋବରରେ ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଥିଲା । 7 ବର୍ଷିୟ ଶିଶୁଟି ଏଚଆଇଭି ପଜିଟିଭ ଥିବା ଜଣାପଡିଥିଲା ।”