ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ମୋଡ଼: ଚାଟିଂରେ ବିସ୍ଫୋରକ ତଥ୍ୟ

କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଦଳୁଛି ମୋଡ଼ ପରେ ମୋଡ଼। କିଲର୍ ଦୀପକର କ୍ରାଇମ୍ ଥ୍ରୀଲର୍ କଡ଼ ଲେଉଟାଉଛି। ମାମଲାକୁ ଅତି ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଦର୍ଶାଇ ପୋଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପରେ ବଢ଼ିଛି ଖୁନୀ ଦୀପକ ରାଉତର ବଡ଼ ଅଡୁଆ।ପ୍ରଥମେ କଥା ଉଠିଲା ଟଙ୍କା ପାଇଁ ହତ୍ୟା କରିଛି । ଏବେ କିନ୍ତୁ ମୋଡ଼ ତ୍ରିକୋଣୀୟ ପ୍ରେମ ଆଡ଼କୁ ଯାଇଛି । ଏଥିରେ ସନ୍ଦେହ ଘେରକୁ ଆସିଛନ୍ତି ଡିସିପିଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ବିବାହିତ ମହିଳା କନଷ୍ଟେବଲ । ଉକ୍ତ କନଷ୍ଟେବଲଙ୍କ ପାଇଁ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡ଼ା ଲାଗିଥିବା ପୁଲିସ୍‌ ଜାଣିବାକୁ ପାଇଛି । ତଦନ୍ତର ଦିଗ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରୁ ଡିସିପିଙ୍କ ଦପ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଥମ ପତ୍ନୀ ଅପର୍ଣ୍ଣା ଥାଉ ଥାଉ ହିଁ ଲେଡି କନେଷ୍ଟବଳ ଶୁଭମିତ୍ରାଙ୍କୁ ପ୍ରେମ ଜାଲରେ ଫସାଇଥିଲା ଦୀପକ। ଆଉ ୨୦୨୨, ମାର୍ଚ୍ଚ ୧୭ରେ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ପରେ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟ ବିବାହ କରି ପତ୍ନୀ ବନାଇଥିଲା। ଶୁଭମିତ୍ରାଙ୍କ ବାପାଙ୍କ ଅଭିଯୋଗ, ଝିଅ ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କା ବୀମା କରିଥିଲା ଦୀପକ। ତେଣୁ ଅପର୍ଣ୍ଣା ଭଳି ଶୁଭମିତ୍ରାଙ୍କୁ ବି ବୀମା ଟଙ୍କା ପାଇଁ ଦୀପକ ହତ୍ୟା କରିଛି। ଯେଉଁଥିରେ ଦୀପକର ବଡ଼ ଭାଇ, ଯିଏ ବିଲଡର୍ ଅଛି, ସେ ଏହାର ମାଷ୍ଟରମାଇଣ୍ଡ। ଡାକ୍ତର ଥିବା ଦୀପକର ଭଣଜା ସହଯୋଗରେ ଝିଅକୁ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି।

ସେପଟେ ଫାଇନାନ୍ସ ଏକ୍ସପର୍ଟଙ୍କ ମତ, ଯଦି ହତ୍ୟା କରି ଦୁର୍ଘଟଣା ନାଁରେ ବୀମା ରାଶି ହଡ଼ପ କରାଯାଇଥାଏ, ତେବେ ପ୍ରମାଣିତ ହେଲେ ସଂପୃକ୍ତ ବୀମା କମ୍ପାନୀ ଦୀପକ ନାଁରେ ଏତଲା ଦାୟାର କରିପାରିବ। ତେବେ ଝାରପଡ଼ା ଜେଲରେ ଥିବା ଦୀପକ, ତା’ସମ୍ପର୍କୀୟ ଭାଇ ବିନୋଦ ଓରଫ ପପୁ ଏବଂ ଶୁଭମିତ୍ରାଙ୍କୁ ହତ୍ୟା ପରେ ଘଟଗାଁ ଅଞ୍ଚଳରେ ପୋତା ଯାଇଥିବା ଜମିର ମାଲିକ ଶମ୍ଭୁନାଥ ଓରଫ୍ ଜଟିଆ ବ୍ୟତୀତ ଆଉ କାହାର ରହିଛି ସଂପୃକ୍ତି ? ଅପର୍ଣ୍ଣା ଓ ଶୁଭମିତ୍ରାଙ୍କୁ ହତ୍ୟା ଅଭିଯୋଗ ମାମଲା ପଛରେ ବୀମା ଟଙ୍କା ନା ଆଉ କିଛି ? ତାକୁ ନେଇ ନା ନା ପ୍ରଶ୍ନ ଭିତରେ ଏହି ମାମଲାକୁ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଦର୍ଶାଇ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି ପୋଲିସ।