ହରଚଣ୍ଡୀ ସାହିରେ ହାଡିଆ ଭୂତ ପୂଜା
ପୁରୀରେ ଶାରଦୀୟ ଦୁର୍ଗାପୂଜାରେ ଦେବୀଙ୍କ ଆରାଧନା ସହ ଭୂତକୁ ମଧ୍ୟ ପୂଜା କରାଯାଏ ।ଏଠାରେ ଭୂତ ରୂପରେ ପୂଜା ପାଉଛି ହଡ଼ିଆ ଭୂତ । ଶ୍ରୀମନ୍ଦିର ନିକଟରେ ଥିବା ହରଚଣ୍ଡୀ ସାହିରେ ହାଡିଆ ଭୂତ ପୂଜା ପାଉଛନ୍ତି । ହରଚଣ୍ଡୀ ସାହିର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁଙ୍କ ଘରେ ଏହି ହାଡ଼ିଆ ଭୂତ ମେଢ଼ ପୂଜା କରାଯାଏ। ତେବେ ଏନେଇ ଆଦିତ୍ୟ କହିଛନ୍ତି,”ହାଡ଼ିଆ ଭୂତ ପୂଜା ଆମ ପୂର୍ବ ପୁରୁଷମାନେ କରି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏହି ପୂଜା ପାଳନ କରାଯାଉଛି । ତେବେ କେବେଠାରୁ ଏହି ଭୂତ ପୂଜା ଆରମ୍ଭ ହେଲା, ସେନେଇ କିଛି ସଠିକ୍ ତଥ୍ୟ ନାହିଁ । ଆମେ ପାଞ୍ଚ ପିଢ଼ି ଏହି ପୂଜା କରି ଆସୁଛୁ ।ଆମ ଜେଜେ ବାପା ହାଡୁବନ୍ଧୁ ସାହୁଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା। ସେ ଘରେ କେହି ଅଦୃଶ୍ୟ ଶକ୍ତିର ପ୍ରଭାବ ଥିବା ଅନୁଭୁବ କରିଥିଲେ ।ଏଥିପାଇଁ ସେ ଚଣ୍ଡୀ ପୂଜା ଆରମ୍ଭ କରିଥିଲେ। ସାଧାରଣତଃ ଶାରଦୀୟ ଦୁର୍ଗାପୂଜାରେ ଚଣ୍ଡୀ ଚାମୁଣ୍ଡାଙ୍କୁ ପୂଜା କରାଯିବାର ବିଧି ରହିଛି । ହାଡୁବନ୍ଧୁ ସାହୁ ଘରର ଉନ୍ନତି ପାଇଁ ଏହି ଚଣ୍ଡୀ ପୂଜା ଆରମ୍ଭ କରିଥିଲେ । ତେଣୁ ଚଣ୍ଡୀଙ୍କ ସ୍ଵରୂପ ଭାବେ ମୂର୍ତ୍ତି ମଧ୍ୟ ବରାଦ ଦେଇ ପୂଜା କରିଥିଲେ। ଯେହେତୁ ଚଣ୍ଡୀ ମୂର୍ତ୍ତି ଭୂତ୍ ଭଳି ଦେଖିବାକୁ ଏବଂ ଆମ ଜେଜେ ହାଡ଼ିବନ୍ଧୁ ସାହୁ ଏହି ପୂଜା ଆରମ୍ଭ କରିଥିଲେ,ତେଣୁ ଲୋକମାନେ ପୂଜା ପାଉଥିବା ଚଣ୍ଡୀ ମୂର୍ତ୍ତିକୁ ହାଡ଼ିଆ ଭୂତ ଭାବେ ଡାକିବା ଆରମ୍ଭ କରିଥିଲେ ।ପରବର୍ତ୍ତୀ ସମୟରେ ପିଢ଼ି ପରେ ପିଢ଼ି ଲୋକମାନେ ଏହାକୁ ହାଡ଼ିଆ ଭୂତ ବୋଲି କହି ଆସୁଛନ୍ତି ।” ତେବେ ସପ୍ତମୀ, ଅଷ୍ଟମୀ, ନବମୀ ପୂଜା ବିଧି ସହିତ ଶୀତଳ ଭୋଗ, ମହାଷ୍ଟମୀ ରାତିରେ ଶଙ୍ଖୁଡ଼ି ଭୋଗ, ପୋଡ଼ା ବଳି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଲୋକମାନେ ବିଭିନ୍ନ ଠାକୁରଙ୍କୁ ମାନନ୍ତି । କିନ୍ତୁ ଆମ ପରିବାର ଲୋକେ ହାଡ଼ିଆ ଭୂତକୁ ପୂଜା କରିଥାଉ। ଏହା ଦ୍ଵାରା ଆମ ପରିବାରର ଉନ୍ନତି ହେଉଛି ।
