ହରିହର ବେଶରେ ଦର୍ଶନ ଦେବେ ମହାବାହୁ
ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ |ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। ତେବେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ, ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି।
