‘ଅଂଶୁଘାତ’ର ଶିକାର ,କିପରି ତୁମର ଜୀବନ ବଞ୍ଚାଇବ |

ଅଂଶୁଘାତ: ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌରତାପ ସହ୍ୟ କରି ନ ପାରି ‘ଅଂଶୁଘାତ’ର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦ୍ୱାରା ମନୁଷ୍ୟ ଚେତାଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ।

ଶରୀରର ବାହ୍ୟଚର୍ମ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ। ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ୍‌ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଉଚିତ ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ଚିକିତ୍ସା ଶାସ୍ତ୍ର ମତାନୁସାରେ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟରୁ ୯୯ ଡିଗ୍ରୀ ଫାରେନହାଇଟ(୩୭.୨ଡିଗ୍ରୀ ସେଲ୍‌ସିୟସ) ଏବଂ ପ୍ରାପ୍ତବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ ରହିବା ଉଚିତ।

ଜଳବାୟୁର ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇବା ସହ ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ି ଯାଇଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ଶ୍ୱାସକ୍ରିୟାରେ ପ୍ରଖରତା, ନାଡ଼ିର ଗତି ବୃଦ୍ଧି ପାଇବା, ପରିସ୍ରାର ପରିମାଣ କମି ହଳଦିଆ ବର୍ଣ୍ଣ ହୋଇଥାଏ। ଏହାବ୍ୟତୀତ ମାଂସପେଶୀ ଅକୁଞ୍ଚନ ହେବା ସହ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବିନ୍ଧିବା ସହ ଦୁର୍ବଳ ଲାଗିଥାଏ। ଏହି ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦରକାର।