ଅକ୍ଟୋବର ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଅକ୍ଟୋବର ମଧ୍ୟରେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏକ ରିଜଲ୍ୟୁସନ ଆସିବ। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ। ଏହା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଯିବ। ପୁରୀରେ ଥିବା ପାଞ୍ଚଟି ପୁଷ୍କରିଣୀର ଉନ୍ନତି ଓ ପୁନରୁଦ୍ଧାର ପାଇଁ ବ୍ୟାପକ ଆଲୋଚନା ହୋଇଛି । ଏବେ ଯେଉଁ ସବୁ ବିଭାଗର ପ୍ରକଳ୍ପ ବାକି ରହିଛି ସେହି ବିଭାଗ ପାଇଁ ତାରିଖ ଦିଆଯାଇଛି । ସେବାୟତ ପିଲାଙ୍କ ପାଠ ପଢ଼ିବା ପାଇଁ ଗୁରୁକୁଳ, ସେବାୟତ ଷ୍ଟାଫ୍ କ୍ୱାଟର କିଭଳି ଭାବେ ନିର୍ମାଣ କରାଯିବ ଓ କେବେ ସୁଦ୍ଧା ଶେଷ ହେବ ତାହା ପାଇଁ ସମୟ ସ୍ଥିର କରାଯାଇଛି । ପୁରୀରେ ଟ୍ରାଫିକ ସମସ୍ୟାର କିଭଳି ସମାଧାନ ହେବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି । ଜମି ଅଧିଗ୍ରହଣ କିମ୍ବା ଅନ୍ୟାନ୍ୟ ସମସ୍ୟା ହେଲେ, ତାର ତୁରନ୍ତ ସମାଧାନ କିପରି ହେବ ସେନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।ଆଜି ଚାରି ଘଣ୍ଟା ଧରି ଶ୍ରୀମନ୍ଦିର ସମୀକ୍ଷା ବୈଠକ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ସମେତ ଏହି ବୈଠକରେ ବିଭିନ୍ନ ଯୋଜନାର ଏକ ସବିଶେଷ ସମୀକ୍ଷା ହୋଇଥିଲା। ପ୍ରକଳ୍ପ ଗୁଡ଼ିକର ସ୍ଥିତି କେମିତି ରହିଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା।