ଅକ୍ଟୋବର ମାସକୁ ବାତ୍ୟା ମାସ କୁହାଯାଏ ! ତେବେ ଡରାଇଲାଣି ଲଘୁଚାପ
ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ ବାତ୍ୟାର ଭୟ ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ପଶ୍ଚିମ-ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। IMDର ବିସ୍ତୃତ ରିପୋର୍ଟ ଅନୁସାରେ, ଏହି ସିଷ୍ଟମ୍ ୨୬ ତାରିଖ ଆଖପାଖରେ ଅଧିକ ଘନୀଭୂତ ହୋଇ ଏକ ଅବପାତର ରୂପ ନେଇପାରେ। ତଥାପି ଏହାର ସମ୍ଭାବ୍ୟ ତୀବ୍ରତା ବିଷୟରେ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ଆଇଏମଡି ମଧ୍ୟ ଲଘୁଚାପ ପ୍ରଣାଳୀ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ।ଅନ୍ୟପକ୍ଷରେ, ଆରବ ସାଗରରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି IMD ଆକଳନ କରିଛି। ଓଡ଼ିଶା ଭଳି ରାଜ୍ୟଗୁଡ଼ିକ, ଯେଉଁଠାରେ ପ୍ରାକୃତିକ ବିପର୍ଯ୍ୟୟର ଇତିହାସ ଲମ୍ବା, ସେଠାରେ ଏହି ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା ଜାରି କରାଯାଇଛି। IMDର ERF ମଡେଲ୍ ଅନୁସାରେ, ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଆଶଙ୍କା ୩୦ରୁ ୪୦ ପ୍ରତିଶତ ରହିଛି।
