ଅନନ୍ତଙ୍କ ହାତ ଧରିଲେ ରାଧିକା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ ଉତ୍ସବରେ ଦେଶବିଦେଶର ବହୁ ସେଲିବ୍ରିଟି, ରାଜନେତାଙ୍କ ସହ କର୍ପୋରେଟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।ବିବାହ ୧୨ ଜୁଲାଇ (ଶୁକ୍ରବାର)ରେ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ତିନି ଦିନ ଧରି ବିବାହର ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ଶୁଭ ବିବାହ ହୋଇଥିବା ବେଳେ ଦ୍ୱିତୀୟ ଦି ଜୁଲା ୧୩ରେ ଶୁଭ ଆଶୀର୍ବାଦ ଓ ଜୁଲାଇ ୧୪ରେ ମଙ୍ଗଳ ଉତ୍ସବ ବା ଭୋଜି ଆୟୋଜିତ ହେବ ।

ବିବାହ ଉତ୍ସବରେ ଅନନ୍ତ ଲାଲ ଓ ସୁନେଲି ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରାଧିକା ଲାଲ ଓ ଧଳା ରଙ୍ଗର ଲେହଙ୍ଗା ପରିଧାନ କରିଥିଲେ । ଶୁକ୍ରବାର ଅପରାହ୍ନରେ ଅନନ୍ତଙ୍କ ବରଯାତ୍ରୀ ଏଣ୍ଟିଲିଆ (ମୁକେଶ ଅମ୍ବାନୀଙ୍କ ବାସଭବନ)ରୁ ବାହାରି ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ପହଞ୍ଚିଥିଲା। ବରଯାତ୍ରୀରେ ଅମ୍ବାନୀ ପରିବାର ସମେତ ବଲିଉଡ୍‌ର ବହୁ ତାରକା ଯୋଗଦେଇ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବଲିଉଡ୍‌ ସଙ୍ଗୀତର ତାଳେ ତାଳେ ନାଚିଥିଲେ। ବିବାହ ସ୍ଥଳରେ ଲୋକ ଗାୟକ ମାମେ ଖାନ୍‌ଙ୍କ ଗୀତରେ ଉପସ୍ଥିତ ଅତିଥି ମନ୍ତ୍ରମୁଗ୍ଧ ହୋଇଛନ୍ତି। ଏହି ବିବାହ ସମାରୋହରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଟୋନି ବ୍ଲେୟାର, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ହାର୍ପର, ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ଜନ୍‌ କେରି, ଆମେରିକୀୟ ଅଭିନେତା ଜେଫ୍‌ କୁନ୍ସ, ଜନ ସେନା, ଅଭିନେତ୍ରୀ କିମ୍‌ କାର୍ଦାଶିଆନ, ମଡେଲ ଖ୍ଲୋଇ କାର୍ଦାଶିଆନ, ବକ୍ସର ମାଇକ୍‌ ଟାଇସନ ପ୍ରମୁଖ ସାମିଲ ହୋଇ ଉଭୟ ଅନନ୍ତ ଓ ରାଧିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।