ଅନିଦ୍ରା, କିଡ୍‌ନୀ ସମସ୍ୟାରେ ପୀଡ଼ିତ କି? ତ ନିଶ୍ଚୟ ସେବନ କରନ୍ତୁ ତେଜପତ୍ର; ଆଉ ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା

ତେଜପତ୍ର ସମସ୍ତଙ୍କ ଘରର ରୋଷେଇ ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ଜିନିଷ। ଡାଲମା, ତରକାରୀ ଆଦିରେ ତେଜପତ୍ର ପକାଇଲେ ଏହାର ସ୍ୱାଦ ଏବଂ ବାସ୍ନା ଉଭୟ ହିଁ ବଢ଼ି ଯାଇଥାଏ। ଯଦିଓ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତେଜପତ୍ର ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କଲେ ନା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ, ବରଂ ଅନେକ ରୋଗ ମଧ୍ୟ ପଳାଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, ତେଜପତ୍ରକୁ ନିୟମିତ ଭାବେ ସେବନ କଲେ ଆମକୁ କେଉଁ ସବୁ ଫାଇଦା ମିଳି ପାରିବ।

କିଡନୀ ରୋଗରେ ଫାଇଦା: ତେଜପତ୍ର ସେବନ ଦ୍ୱାରା କିଡନୀ ସମସ୍ୟାରେ ଅନେକ ଫାଇଦା ମିଳିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାକୁ ବ୍ୟବହାର କଲେ, କିଡନୀରେ ଷ୍ଟୋନ ସୃଷ୍ଟି ହୁଏ ନାହିଁ ଏବଂ ଏହା ସୁଚାରୁ ରୂପେ ନିଜର କାର୍ଯ୍ୟ କରିଥାଏ। ଏହାଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ସବୁଦିନ ପାଇଁ ଦୂର ହୋଇ ଯାଇଥାଏ।

ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ: ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭୋଜନ କରିବା କ୍ଷଣି ହିଁ ସେମାନଙ୍କୁ କୋଷ୍ଠକାଠିନ୍ୟ, ଏସିଡିଟି ଭଳି ସମସ୍ୟା ହୋଇଥାଏ। ଏମିତିରେ ଯଦି ସେମାନେ ତେଜପତ୍ର ପଡ଼ିଥିବା ଖାଦ୍ୟ ଖାଇବେ, ତ ପେଟ ସହ ଜଡ଼ିତ ସମସ୍ୟାରୁ ଅନେକ ମାତ୍ରାରେ ଉପଶମ ପାଇ ପାରିବେ।

ଆଖି ଏବଂ ରକ୍ତ ପାଇଁ ଲାଭଦାୟକ: ତେଜପତ୍ରରେ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ମିଳିଥାଏ। ଏହି ଦୁଇଟି ଭିଟାମିନ୍ସ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ ସି ଆମ ଶରୀରରେ ଧଳା ରକ୍ତ କଣିକାକୁ ବଢ଼ାଇବାର କାମ କରିଥାଏ। ଏହାଦ୍ୱାରା ଶରୀରର ଇମ୍ୟୁନିଟି ମଜଭୁତ ହୋଇଥାଏ। ସେପଟେ ଭିଟାମିନ ଏ ବି ଆମ ଆଖିର କ୍ଷମତାକୁ ବଢ଼ାଇଥାଏ।

ଇନସୁଲିନକୁ କରିଥାଏ ନିୟନ୍ତ୍ରଣ: ଯେଉଁମାନେ ମଧୁମେହ ରୋଗୀ ସେମାନଙ୍କ ପାଇଁ ତେଜପତ୍ର କୌଣସି ଚମତ୍କାରଠାରୁ କମ୍ ନୁହେଁ। ମଧୁମେହ ରୋଗୀମାନେ ଏହାକୁ ସେବନ କଲେ, ଏହା ସେମାନଙ୍କ ଇନସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆପଣ ଭାତ, ଡାଲି କିମ୍ବା ପଲଉରେ ପୂରା ପତ୍ର ପକାଇ ଖାଇ ପାରିବେ। ନଚେତ୍ ସୁପ୍‌ରେ ମଧ୍ୟ ଏହାର ଛୋଟ ଛୋଟ ଖଣ୍ଡ ପକାଇ ସେବନ କରି ପାରିବେ।

ଅନିଦ୍ରା ସମସ୍ୟା ଦୂର କରିଥାଏ: ଯଦି ଆପଣ ଅନିଦ୍ରା ସମସ୍ୟାରେ ପୀଡ଼ିତ, ତ ଆପଣଙ୍କ ପାଇଁ ତେଜପତ୍ର ରାମବାଣ ରୂପେ କାମ କରିପାରେ। ଆପଣ ରାତିରେ ଶୋଇବା ପୂର୍ବରୁ ତେଜପତ୍ର ପ୍ରୟୋଗ କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତେଜପତ୍ର ତେଲର କିଛି ବୁନ୍ଦା ଗରମ ପାଣିରେ ମିଶାଇ ପିଇଲେ ଭଲ ନିଦ ଆସିଥାଏ।