ଅଭିନେତ୍ରୀ ସେଲିନା ଜେଟଲି ସ୍ୱାମୀଙ୍କ ବିରୋଧରେ ଆଣିଲେ ଘରୋଇ ହିଂସା ଅଭିଯୋଗ

ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍‌ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଖବର ବଲିଉଡଜଗତରେ ଆଲୋଡ଼ନ ସୃଷ୍ଟି କରିଛି।ସେଲିନା ଜେଟଲି ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ମୁମ୍ବାଇର ଏକ କୋର୍ଟରେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ମଙ୍ଗଳବାର ଦିନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏସ.ସି. ଟାଡେଙ୍କ ସମ୍ମୁଖରେ ଏହି ମାମଲା ଶୁଣାଣି ପାଇଁ ଆସିଥିଲେ ଅଭିନେତ୍ରୀ । ଯେଉଁଠାରେ କୋର୍ଟ ପିଟର ହାଗଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଡିସେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି ।୪୭ ବର୍ଷୀୟ ସେଲିନା ୨୦୧୦ ସେପ୍ଟେମ୍ବର ୧୮ରେ ସେଲିନା ପିଟର୍‌ଙ୍କୁ ବିବାହ କରିଥିଲେ। ଏବେ ସେ ତିନୋଟି ସନ୍ତାନର ଜନନୀ। ସେଲିନା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ଯୋଗୁଁ ତାଙ୍କୁ ଅଷ୍ଟ୍ରିଆ ଛାଡି ଭାରତ ଫେରିବାକୁ ପଡ଼ିଲା। ସେ ଏହା ମଧ୍ୟ କହିଥିଲେ ଯେ, ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାକୁ ମନା କରିଥିଲେ। ଏପର୍ଯ୍ୟନ୍ତ ପିଟରଙ୍କ ପକ୍ଷରୁ ଏ ବିଷୟରେ କୌଣସି ବୟାନ ଆସିନାହିଁ । ପୂର୍ବତନ ମିସ୍ ଇଣ୍ଡିଆ ଏବଂ ଅଭିନେତ୍ରୀ ସେଲିନା ଜେଟଲିଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେଲିନା ‘ନୋ ଏଣ୍ଟ୍ରି’,’ଗୋଲମାଲ ରିଟର୍ଣ୍ଣସ୍’, ‘ଥ୍ୟାଙ୍କ୍ ୟୁ’, ‘ଅପନା ସପନା ମନି ମନି’ ଏବଂ ‘ମନି ହେ ତୋ ହନି ହେ’ ଭଳି ଫିଲ୍ମ କରିଥିଲେ।