ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ଜଣେ ବ୍ୟକ୍ତି

ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏଭଳି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମାଲୋଚନା କରାଯିବା ସହିତ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରାଯାଇଛି।ମଙ୍ଗଳବାର ନେମୁଚ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ମୁକେଶ ପ୍ରଜାପତି ନାମକ ଜଣେ ବ୍ୟକ୍ତି ବେକରେ ଅଭିଯୋଗର ମାଳ ପିନ୍ଧି ଗଡ଼ିଗଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସେ ଦେହସାରା ଦସ୍ତାବିଜ୍‌ ଗୁଡ଼େଇ ହୋଇଥିଲେ।

ତାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ୬ରୁ ୭ ବର୍ଷ ଧରି ନିୟମିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିବା ସେ କହିଛନ୍ତି। ତେବେ ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ସେ ଏହାର ପ୍ରତିବାଦରେ ଏପରି ଅଭିନବ ଅଭିଯୋଗ ଜଣାଇବାର ପନ୍ଥା ଆପଣାଇଛନ୍ତି। ସେ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ବି ଯାଇଛନ୍ତି। ହେଲେ ଜିଲାପାଳଙ୍କୁ ନ ପାଇ ନିରାଶ ହୋଇ ଫେରିଛନ୍ତି।କେବଳ ଏତିକି ନୁହେଁ, ଜିଲାପାଳ ହିମାଂଶୁ ଚନ୍ଦ୍ର ମୁକେଶଙ୍କ ସମସ୍ତ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟିକୁ ନିର୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ସବୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ବି କହିଛନ୍ତି।

ମୁକେଶ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗ୍ରାମ ପଞ୍ଚାୟତରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଛି। କିନ୍ତୁ ସରକାରୀ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।