ଅର୍ଜ୍ଜୁନଖୋଲରେ ସାଧୁମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ

ଗଣିଆ (ବିଶ୍ୱରଂଜନ ସେଠି), ଗଣିଆ ବ୍ଲକ କରଡାପଡା ପଚାଂୟତ ନୂଆପଡା ମୌଜା ନିକଟସ୍ଥ ଅର୍ଜ୍ଜୁନଖୋଲଠାରେ ଚାଲିଥିବା ୩୦ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଧୁମେଳା ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଗତ ବୁଧବାର ପୌଷମାସ ଦ୍ୱାଦଶୀ ତିଥୀରେ ଶୁଭାଧିବାସ ପରେ ଶୁକ୍ରବାର ଚତୁଃର୍ଦ୍ଦଶୀ ତିଥିରେ ସାଧୁସନ୍ଥମାନେ ଘୃତାହୂତୀ ସହ ପୂର୍ଣାହୂତୀ କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ଅର୍ଜ୍ଜୁନଖୋଲ ପରିସରରେ ହରିନାମ, ଭଜନ, କିର୍ତନ, ଭଗବତ ପାଠ, ସାଧୁ ସମ୍ମିଳନୀ,ଘୃତଯଜ୍ଞ ଓ ଅନ୍ନ ପ୍ରସାଦ ବିତରଣ ପରି ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଧୁମେଳା ଦେଖିବା ପାଇଁ ଗଣିଆ, ଦଶପଲ୍ଲା ବ୍ଲକର ବିଭିନ୍ନ ପଚାଂୟତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା । ଏଥି ସହ ମେଳା ପରିସରରେ କେତେକ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧୁସନ୍ଥଙ୍କ ହରିନାମ ଓ ଶ୍ରଦ୍ଧାଳୁମାନଙ୍କ ଭଜନ କିର୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶଯୋଗ୍ୟ, ପୁରାଣବର୍ଣିତ ଅନୁଯାୟୀ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ଅଜ୍ଞାତ ବନବାସ ସମୟରେ କିଛି ସମୟ ସେଠାରେ ଅବସ୍ଥାନ କରିଥିବା ଲୋକ ପ୍ରବାଦ ରହିଅଛି । ତେବେ ପୌରାଣିକ ଗାଥା ବହନ କରୁଥିବା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ପୀଠରେ ଅନେକ ଭିତିଭୂମି ରହିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟ୍ଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି । ରାଜ୍ୟ ପର୍ଯ୍ୟଟ୍ଟନ ଓ ସଂସ୍କୃତି ବିଭାଗ ତରଫରୁ ଏହି ପୀଠକୁ ପର୍ଯ୍ୟଟ୍ଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯିବା ସହ ଭିତିଭୂମିର ବିକାଶ କରାଗଲେ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟ୍ଟକ ଆସିପାରନ୍ତେ ବୋଲି ସ୍ଥାନୀୟ ନୂଆପଡା ଗ୍ରାମର ସୁଶାନ୍ତ ଶତପଥୀ କହିଛନ୍ତି ।