ଅସ୍ତ୍ରୋପଚାର ପାଇଁ ଏଣିକି ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି।

ଅସ୍ତ୍ରୋପଚାର ପାଇଁ ଏଣିକି ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ରାତିରେ ହିଁ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ ହେବ।କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ରାତ୍ରକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତିବେଳା ଅସ୍ତ୍ରୋପଚାର ହୋଇପାରୁଛି। କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ହେଉଛି। ଅଧିକାଂଶ ମାମଲାରେ ସକାଳୁ ଅସ୍ତ୍ରୋପଚାର ହୋଇପାରୁନାହିଁ।

ଆରମ୍ଭ ହେବା ବେଳକୁ ପୂର୍ବାହ୍ନ ହୋଇଯାଉଛି। ତେବେ ରାଜଧାନୀର ମୁଖ୍ୟ ଡାକ୍ତରଖାନା ରୋଗୀ ଅବା ଆହତଙ୍କର ଜୀବନ ରକ୍ଷା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି।ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ, ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେଉଥିବା ବେଳେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ସନ୍ତୋଷଜନକ ଚିକିତ୍ସା ମିଳୁଛି। ପୂର୍ବାପେକ୍ଷା ସରକାରୀ ଡାକ୍ତରଖାନାରେ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଛି। ଏପରିସ୍ଥଳେ ରୋଗୀଙ୍କ ଜୀବନରକ୍ଷା ପାଇଁ ସମୟୋଚିତ ଅସ୍ତ୍ରୋପଚାର ଜରୁରୀ। ପୂର୍ବରୁ ଭିତ୍ତିଭୂମି ସହ ଲୋକବଳ ଅଭାବ ଥିଲା। କିନ୍ତୁ ଏବେ ଏହି ସମସ୍ୟା ଦୂର ହେବାରେ ଲାଗିଛି। ତେଣୁ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ରାତିବେଳା ଅସ୍ତ୍ରୋପଚାର ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଛି। ଅସ୍ତ୍ରୋପଚାର ସହ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ପରୀକ୍ଷାନିରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହେବ।