ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ଚାଲେଞ୍ଜ୍
ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିସାରିଛି । ତେବେ ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ଷଡ଼ଯନ୍ତ୍ର ପଛରେ ବଡ଼ ମୁଣ୍ଡ ଥିବା ଆଲୋଚନା ହେଉଛି । ହତ୍ୟା ପଛର କାରଣ ରାଜନୈତିକ ନା ପୂର୍ବ ଶତ୍ରୁତା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ । ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ସୂଚନାମୁତାବକ ଗତ ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ହତ୍ୟାକାରୀମାନେ ବିହାର ରାଜ୍ୟର ସୁପାରି କିଲର ତଥା ସାର୍ପ ସୁଟର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ସେହିକ୍ରମରେ ପୋଲିସ ବିହାର ସମେତ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଯାଇ ୫ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ହେଲେ ତଦନ୍ତ ବେଳେ ସେହି ଯୁବକମାନେ ପୀତବାସଙ୍କୁ ହତ୍ୟା ପାଇଁ ଯୋଜନା କରି ବ୍ରହ୍ମପୁର ଆସିଥିଲେ ମଧ୍ୟ କୌଣସି କାରଣରୁ ଏହି ଡିଲ୍ରୁ ଓହରି ଯାଇଥିଲେ। ଏହାପରେ ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ତଥା ମାଷ୍ଟରମାଇଣ୍ଡ୍ ଗଞ୍ଜାମର ୨ ଜଣ ଯୁବକଙ୍କୁ ସୁପାରି ଦେଇ ହତ୍ୟା କରିବାକୁ ରାଜି କରାଇଥିଲେ। ଏହି ପାଇଁ ଉଭୟ ଯୁବକ ୧୫ ଲକ୍ଷ ଟଙ୍କା ନେଇଥିବା କୁହାଯାଉଛି।
