ଆଉ ନାହାନ୍ତି ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ
ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ବରିଷ୍ଠ ପ୍ରଚାରକ, ମିସନ ଅଲଚିକିର ଦୃଢ଼ ସଂଗଠକ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ପରିଚାଳିକା ଏବଂ ସମ୍ପାଦିକା ତଥା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା)ର ଆଜୀବନ ସଦସ୍ୟା, ସାଓହେଁଦ ଆଖଡାର ସଭାନେତ୍ରୀ ଶ୍ରୀମତୀ ମାଳତୀ ମୁର୍ମୁ ଆଉ ଆମ ଗହଣରେ ନାହାନ୍ତି ।ଆଜି ରାତ୍ରି ୧ଟା ସମୟରେ ଭୁବନେଶ୍ୱର ୬ନଂ ସ୍ଥିତ ସରକାରୀ ବାସଭବନରେ ୫୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଖବର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି। ୧୧ ଫେବ୍ରୁଆରୀ ୧୯୭୫ରେ ମୟୂରଭଞ୍ଜଜିଲ୍ଲା କୁଳିଅଣା ବ୍ଲକର ଗୟଳକଟା ଗାଁରେ ପିତା ମଙ୍ଗଲ ମୁର୍ମୁ ଓ ମାତା ଶର୍ମା ମୁର୍ମୁଙ୍କ କୋଳରେ ଜନ୍ମ ନେଇଥିବା ମାଳତୀ ମୁର୍ମୁ ଛଅ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ। ସେ ଆସେକା ବୋର୍ଡରୁ ସାନ୍ତାଳୀ ଭାଷାରେ ମେଟ୍ରିକ ପାସ କରିଥିଲେ ଏବଂ ୨୧ ଜୁନ ୧୯୯୧ରେ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଓ ଅଲଚିକି ପ୍ରଚାରକ ମାଙ୍ଗାତ୍ ମୁର୍ମୁଙ୍କ ସହ ବିବାହ ସମ୍ପନ୍ନ କରିଥିଲେ। ବିବାହ ପରେ ସେ ସମ୍ପୂର୍ଣ୍ଣ ଜୀବନକୁ ସାନ୍ତାଳୀ ଭାଷା ସେବାରେ ଉତ୍ସର୍ଗ କରିଥିଲେ। ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଅଲଚିକି ଲିପିର ଶତବାର୍ଷିକ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମାଲତୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ରାଷ୍ଟ୍ରପତି ମୁଖ୍ୟ ଅତିଥି ଥିବା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଦ୍ବାରା ଆୟୋଜିତ ଅଲଚିକି ଲିପିର ଶତବାର୍ଷିକ ପାଳନ ଉତ୍ସବରେ ସାନ୍ତାଳୀ ଭାଷାରେ ଜୀବନ ବ୍ୟାପି ଅବଦାନ ନିମନ୍ତେ ମାଲତୀ ମୁର୍ମୁ ସମ୍ମାନିତ ହୋଇଥିଲେ।
