ଆଗକୁ ବିମାନରେ ପାଓ୍ବାର ବ୍ୟାଙ୍କ ନେଇପାରିବେ ନାହିଁ ଯାତ୍ରୀ !
ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ବିମାନରେ ପାଓ୍ବାର ବ୍ୟାଙ୍କ ବ୍ୟବହାର ଉପରେ ରୋକ ଲାଗିପାରେ । ଏପରିକି ଯାତ୍ରୀଙ୍କୁ ନିଜ ସାଥିରେ ପାଓ୍ବାର ବ୍ୟାଙ୍କ ନେବାକୁ ଅନୁମତି ମିଳିନପାରେ । ଏହି ନିୟମ ଭାରତରେ ଖୁବଶୀଘ୍ର ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି । ଅନେକ ବିଦେଶୀ ଏୟାରଲାଇନ୍ସ ପୂର୍ବରୁ ପାୱାର ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେମାନେ ୧୦୦ ୱାଟ୍ ଘଣ୍ଟାରୁ କମ୍ କ୍ଷମତା ବିଶିଷ୍ଟ ଗୋଟିଏ ପାୱାର ବ୍ୟାଙ୍କକୁ ଅନୁମତି ଦେଉଛନ୍ତି । କିନ୍ତୁ ଯାତ୍ରୀମାନେ ସେମାନଙ୍କର ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ ନାହିଁ। ଏହା ବ୍ୟତୀତ, ସେମାନେ ବିମାନର ପାୱାର ସପ୍ଲାଏ ସିଷ୍ଟମରୁ ପାୱାର ବ୍ୟାଙ୍କକୁ ଚାର୍ଜ କରିପାରିବେ ନାହିଁ। କିଛି ବିଦେଶୀ ଏୟାରଲାଇନ୍ସ ସିଟ୍ ପକେଟ୍ କିମ୍ବା ସାମ୍ନା ସିଟ୍ ତଳେ ପାୱାର ବ୍ୟାଙ୍କ ରଖିବାକୁ ମଧ୍ୟ କହୁଛନ୍ତି ।
ପାଓ୍ବାର ବ୍ୟାଙ୍କ ସାମ୍ନା ସିଟ୍ର ତଲେ ରଖିଲେ କ୍ୟାବିନ କ୍ରୁମାନେ ନିଆଁ ଲାଗିଲେ ଶୀଘ୍ର ଚିହ୍ନଟ କରି ଲିଭାଇ ପାରିବେ। ଏ ସମ୍ପର୍କରେ ଭାରତୀୟ ଏୟାରଲାଇନ୍ସର ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଏହାରି ମଧ୍ୟରେ ଦୁବାଇର ଏମିରେଟ୍ସ ଏୟାରଲାଇନ୍ସ ଅକ୍ଟୋବର ୧, ୨୦୨୫ ଠାରୁ ସମସ୍ତ ବିମାନରେ ଯେକୌଣସି ପ୍ରକାରର ପାୱାର ବ୍ୟାଙ୍କ ବ୍ୟବହାର ଉପରେ ରୋକ ଲଗାଇଛି । ତେବେ ସମ୍ପ୍ରତି ଦିଲ୍ଲୀରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିବା ପରେ DGCA ଏହି ପଦକ୍ଷେପ ନେଇଛି, ଯାହା ଲିଥିୟମ ବ୍ୟାଟେରୀ ଚାଳିତ ଡିଭାଇସଗୁଡ଼ିକ (ପାୱାର ବ୍ୟାଙ୍କ) ସହିତ ଜଡିତ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଥିଲା। DGCA ଏବେ ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ଉପରେ ସମ୍ଭାବ୍ୟ ଜାତୀୟ ନିଷେଧ କିମ୍ବା କଠୋର ନିୟମକୁ ନେଇ ବିଚାର କରୁଛି। ଏହି ସପ୍ତାହର ଆରମ୍ଭରେ, ରବିବାର (୧୯ ଅକ୍ଟୋବର, ୨୦୨୫), ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନାଗାଲ୍ୟାଣ୍ଡର ଦିମାପୁର ଅଭିମୁଖେ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ତଥାପି, ଏହି ଘଟଣାରେ କେହି ଆହତ ହୋଇ ନଥିଲେ ଏବଂ କ୍ୟାବିନ କ୍ରୁ ଦ୍ୱାରା ଶୀଘ୍ର ନିଆଁ ଲିଭାଇ ଦିଆଯାଇଥିଲା।
