ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ।୧୯୦୨୧ ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୫ ଅକ୍ଟୋବରରେ ସକାଳ ୭:୧୦ ରେ ଉଧନାରୁ ଛାଡିବ ଏବଂ ପରଦିନ ଅପରାହ୍ନ ୧:୫୫ ରେ ବ୍ରହ୍ମପୁରରେ ପହଞ୍ଚିବ। ସେହିପରି ସେଠାରୁ ଫେରିବା ସମୟରେ ୧୯୦୨୨ ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୬ ଅକ୍ଟୋବରରେ ରାତି ୧୧.୪୫ ରେ ବ୍ରହ୍ମପୁରରୁ ଛାଡି ପରଦିନ ୮.୪୫ ରେ ଉଧନାରେ ପହଞ୍ଚିବ। ଏହି ସମୟରେ ଟ୍ରେନଟି ପଲାସା, ବିଜୟନଗରମ, ରାୟଗଡା, ଟିଟଲାଗଡ଼, ରାୟପୁର, ନାଗପୁର, ଭୁସାଭଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନଗୁଡ଼ିକରେ ଅଟକିବ।