ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ।ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ଏଥି ସହ ଶ୍ରୀଜଗନ୍ନାଥ ଓ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥାନ୍ତି ।
