ଆଜିଠାରୁ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା
ଆଜିଠାରୁ ଆରମ୍ଭ ହୋଇଛି ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା ଡିସେମ୍ବର ୧୮ ତାରିଖରେ ସରିବ ।ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା ନିମନ୍ତେ ବ୍ୟାସ (ଭିୱାଇଏଏସ୍) ଭାରତ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବସବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ ପରିବାର ସର୍ଭେ କରାଯିବ । ରାଜ୍ୟର ପୁରୀ ସମେତ ୬ ଜିଲ୍ଲାରେ କେତେ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି, ସେମାନଙ୍କ କୌଳିକ ବୃତ୍ତି, ଡଙ୍ଗା, ଜାଲ, ଘର, ଜୀବନ ନିର୍ବାହରେ ପରିବର୍ତ୍ତନ, ମୌଳିକ ଆବଶ୍ୟକତା, ପାରିବାରିକ ସ୍ଥିତି ପ୍ରଭୃତି ସମସ୍ତ ଜିନିଷର ଟିକନିଖି ବିଷୟ ଏହି ଜନଗଣନାରେ ସଂଗ୍ରହ କରାଯିବ ।ପ୍ରତି ୫ ବର୍ଷରେ ଥରେ ଏହି ଜନଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସ୍ଥିତି ଯାଞ୍ଚ କରାଯାଉଛି । ଏହାଦ୍ୱାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ ନେଇଥାଆନ୍ତି । ତେବେ ୨୦୧୬ରେ ଏହି ଜନଗଣନା ହୋଇଥିଲା ।
