ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି। ଆମ ଓଡ଼ିଆ ପରମ୍ପରାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି ।ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ଶ୍ରୀ ମନ୍ଦିର ନିକଟରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି ।