ଆଜି ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି !
ସାରା ଦେଶରେ ଆଲୋକର ପର୍ବ ଦୀପାବଳି ଆଜି ପାରମ୍ପରିକ ଉତ୍ସାହ ସହ ପାଳନ କରାଯାଉଛି।ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ।ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ। କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍କ୍ଷଣାତ୍ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ।ସବୁ ଧର୍ମର ଲୋକେ ଦୀପାବଳିକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି। କିନ୍ତୁ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ୍ ସମ୍ପ୍ରଦାୟଙ୍କ ପାଇଁ ଏହି ପର୍ବ ପାଳନର ଭିନ୍ନ ଭିନ୍ନ କାରଣ ରହିଛି। ଯେପରି କି, ହିନ୍ଦୁ ସମ୍ପ୍ରଦାୟରେ ଶ୍ରୀରାମ ବନବାସ ସାରି ଅଯୋଧ୍ୟା ଫେରିବା ଖୁସିରେ ଦିପାବଳୀ ପାଳନ କରାଯାଏ।
ଜୈନ ସମ୍ପ୍ରଦାୟରେ ମହାବୀର ଏହିଦିନ ନିର୍ବାଣ ପ୍ରାପ୍ତ କରିଥିଲେ। ସେହିପରି ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଅବସରରେ ବୌଦ୍ଧ ସମ୍ପ୍ରଦାୟ ଦୀପାବଳି ପାଳନ କରନ୍ତି।ଶିଖ୍ ସମୁଦାୟ ଏହାକୁ ଶିଖ୍ ଧର୍ମ ଗୁରୁ ହର୍ଗୋବିନ୍ଦ୍ ଜୀଙ୍କ ଘରବାହାଡ଼ା ସ୍ମୃତି ଭାବେ ପାଳନ କରନ୍ତି।