ଆଜି କୁମାର ପୂର୍ଣ୍ଣିମା ଏବଂ ଏକ ମାସ  ଧରି ଚାଲିଥିବା ଜହ୍ନି  ଓଷାର ଶେଷ ଦିନ

ଚଳିତବର୍ଷ କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ ତାହାକୁ ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ତାରିଖ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ମାତ୍ର ଏବର୍ଷ ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟ୍‌ରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ମାତ୍ର କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ ଭାବେ ଦର୍ଶାଯାଇଛି ଏବଂ ସେହିଦିନ ସରକାରୀ ଛୁଟି ଘୋଷଣା ମଧ୍ୟ ହୋଇଛି। ତେବେ ଏହି ଦ୍ୱନ୍ଦ୍ୱ ଭିତରେ ସୋମବାର କୁମାର ପୂର୍ଣ୍ଣିମା ପାଳନ ଉପରେ ଜ୍ୟୋତିର୍ବିଦ୍‌ମାନେ ଗୁରୁତ୍ୱ ଦେଇଛନ୍ତି। ତେବେ ଆଜି କୁମାର ପୂର୍ଣ୍ଣିମା ଏବଂ ଏକ ମାସ ଧରି ଚାଲିଥିବା ଜହ୍ନି ଓଷାର ଶେଷ ଦିନ । କୁମାରୀ କନ୍ୟାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଥିଲେ । ଏହା ପରେ ମା’ ବୃନ୍ଦାବତୀଙ୍କ ନିକଟରେ ଗୁଆ, ଲିଆ, କଷି ଜହ୍ନି ଦେଇ ଆଞ୍ଜୁଳି ଟେକିଲେ । କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି ।