ଆଜି ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ ଗୁରୁ ଦିବସ । 

ଆଜି ପବିତ୍ର ଗୁରୁ ଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେ ପକାଉଛି ସାରା ଦେଶ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶେଷ ଆୟୋଜନ କରାଯାଉଛି । ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ। ଶିକ୍ଷାର ବିକାଶ ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।ତେଣୁ ଏହି ଦିନ ଛାତ୍ରଛାତ୍ରୀମାନେ ସାରା ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି। ।