ଆଜି ଛାଡ଼ଖାଇ ଜାଣନ୍ତୁ ଛାଡଖାଇର ପ୍ରକୃତ ଅର୍ଥ ?

ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେବେ ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍‌ଥା ମାଛଦରକୁ ଦେଢ଼ଗୁଣ କରିଥିବା ବେଳେ ଖାସି, ଚିକେନ୍‌ ଦର ବି ଉପରମୁହାଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ? କାହିଁକି ପାଳନ କରାଯାଏ ଛାଡଖାଇ । ଏନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି ।ଧର୍ମ ମାସ କାର୍ତ୍ତିକ ମାସ ଶେଷ ହେବାର ପରଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ଛାଡଖାଇ । ବହୁ ଲୋକ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସାରା ଆମିଷ ଭକ୍ଷଣ କରୁନଥିବା ବେଳେ କିଛି କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ପଞ୍ଚୁକରୁ ଆମିଷ ଭକ୍ଷଣ କରିନଥାନ୍ତି ।ହବିଷ କରୁଥିବା ମହିଳାମାନେ ପୁରା ମାସ ସାରା ଗୋଟିଏ ଥର ଖାଇ ବ୍ରତ ପାଳନ କରିଥାନ୍ତି । ପୂର୍ଣ୍ଣମୀ ପରଦିନକୁ ସେମାନେ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ ।କିନ୍ତୁ ଆଜିକାଲିର ଯୁବପିଢି ଛାଡଖାଇକୁ ଅଲଗା ଅର୍ଥରେ ନେଇ, ଏହି ପବିତ୍ର ଦିନରେ ଲକ୍ଷ ଲକ୍ଷ ନିରୀହ ଜୀବଙ୍କୁ କଲବଲ କରି ମାରି ତାକୁ ଭକ୍ଷଣ କରିଥାନ୍ତି । ମାସକ ଯାକରେ ଅର୍ଜନ କରିଥିବା ସବୁ ପୂଣ୍ୟକୁ ସାରି ଏହି ଦିନ ଅନେକ ପାପର ଭାଗୀଦାରି ହୋଇଥାନ୍ତି ।