ଆଜି ‘ଜାତୀୟ ଦୁଗ୍ଧ ଦିବସ’
ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା । ୧୯୪୮ ମସିହାରେ ଆମେରିକାର ମିସିଗାନ ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା।ଦେଶକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ତଥା କୃଷକଙ୍କ ଅବସ୍ଥାରେ ସୁଧାର ପାଇଁ ସେ ତ୍ରିଭୁବନ ବାଇ ପଟେଲଙ୍କ ସହ ମିଶି ଗୁଜୁରାଟର ଖେଡା ଜିଲ୍ଲାରେ ସରକାରୀ ସମବାୟ ସମିତିର ଶୁଭାରମ୍ଭ କରିଥିଲେ ଭର୍ଗିଜ୍ । ୧୯୪୯ ମସିହାରେ ଭର୍ଗିଜ ଗୁଜୁରାଟର ଦୁଇଟି ଗ୍ରାମର ସହଯୋଗିତାରେ ଏକ ଦୁଗ୍ଧ ସହକାରିତା ସଂଘ ଗଠନ କରିଥିଲେ । ମଇଁଷି ଦୁଗ୍ଧରେ ମିଲ୍କ ପାଉଡର୍ ତିଆରି କରିବାରେ ବିଶ୍ବରେ ଭର୍ଗିଜ ଥିଲେ ପ୍ରଥମ । କାରଣ ପୂର୍ବରୁ କେବଳ ଗାଈ ଦୁଗ୍ଧରେ ହିଁ ପାଉଡର ତିଆରି କରାଯାଉଥିଲା । ଏହାପରେ ଗୁଜୁରାଟର ଆନନ୍ଦରେ ଅମୁଲର ମୂଳଦୁଆ ପଡ଼ିଥିଲା।ଭାରତୀୟ ଡାଏରୀ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ଦୁଗ୍ଧ ପ୍ରତିଷ୍ଠାନ ଦ୍ୱାରା ଡ. କୁରିଏନ୍ଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଥମ ଥର ପାଇଁ ୨୦୧୪ ମସିହା ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଇଥିଲା।
ଭାରତ ବିଶ୍ୱର ମୋଟ୍ କ୍ଷୀର ଉତ୍ପାଦନର ପ୍ରାୟ ଏକ-ଚତୁର୍ଥାଂଶ ଯୋଗାଇଥାଏ। ଗତ ୧୧ ବର୍ଷ ମଧ୍ୟରେ ଦୁଗ୍ଧ କ୍ଷେତ୍ରରେ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି କ୍ଷେତ୍ର ଦେଶର ଅର୍ଥନୀତିରେ ପ୍ରାୟ ୫ ପ୍ରତିଶତ ଯୋଗଦାନ କରୁଛି ଏବଂ ୮ କୋଟିରୁ ଅଧିକ ଚାଷୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଯୋଗାଉଛି।
