ଆଜି ଜାତୀୟ ପ୍ରେସ ଦିବସ
ଆଜି ହେଉଛି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରିଆସୁଛି ।ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାଇ ରଖିବା ଏବଂ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡନୁଆଁଇିବା ପରିବର୍ତ୍ତେ ଜନହିତରେ କାର୍ଯ୍ୟକରିବାର ସ୍ୱାଧୀନତା ପ୍ରେସକୁ ମିଳିଛି । ପ୍ରେସ ଏହି ଦାୟିତ୍ୱକୁ ସୁଚାର ରୂପେ ପାଳନ କରୁଛି କି ନାହିଁ , ତାର ତଦାରଖ ଦାୟିତ୍ୱ ଭାରତୀୟ ପ୍ରେସ ପରିଷଦର । ବିଶ୍ୱରେ ଅନେକ ପ୍ରେସ ବା ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାତତୀୟ ପ୍ରେସ ପରିଷଦ ଅନ୍ୟନ ଏବଂ ଏକମାତ୍ର ସଂସ୍ଥା, ଯାହା ପ୍ରେସର ସ୍ୱାଧୀନତା ବଜାୟ ରଖିବା ଦିଗରେ ବଦ୍ଧପରିକର ।ସମ୍ବାଦବାହୀ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ତା’ର କାରଣ ଗଣତନ୍ତ୍ରରେ ଗଣର ଆଶା, ଆକାଂକ୍ଷା, ଅନୁଭବ ଓ ଅଭିଜ୍ଞତାକୁ ଗଣମାଧ୍ୟମ ହିଁ ଉପସ୍ଥାପନ କରିଥାଏ। ଏହା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଏକ ଯୋଗସୂତ୍ର। ଅନ୍ୟ ଦୃଷ୍ଟିରୁ ଦେଖିଲେ ଜନସାଧାରଣଙ୍କ ପାଇଁ ଏହା ପ୍ରହରୀର କାର୍ଯ୍ୟ ତୁଲାଇଥାଏ। ଗଣମାଧ୍ୟମ ଉପରେ ଆକ୍ରମଣ- ଅର୍ଥ ଗଣତନ୍ତ୍ର ଉପରେ ଆକ୍ରମଣ।‘ପ୍ରେସ୍ କାଉନ୍ସିଲ୍ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍ସିଲ୍ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ୍ ବସାଇଥିଲେ ଓ ପ୍ରେସ୍ କାଉନ୍ସିଲ୍ କରିବା ପାଇଁ ସୁପାରିଶ୍ କରିଥିଲେ, ଯାହା ଗଠନ ହେବା ପାଇଁ ଏକ ଦଶନ୍ଧି ଲାଗିଥିଲା । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିଥାଏ ଏହି କାଉନସିଲ । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।
