ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ

ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉର୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି।୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ।
ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି। ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ଚାନ୍ଦ କୁହାଯାଉଥିଲା ଏବଂ ପରେ ତାଙ୍କ ନାମ ଧ୍ୟାନଚାନ୍ଦ ହୋଇଗଲା। ୧୯୨୨ ରୁ ୧୯୨୬ ପର୍ଯ୍ୟନ୍ତ ସେନାର ରେଜିମେଣ୍ଟାଲ ମ୍ୟାଚ ଖେଳିବାବେଳେ ଧ୍ୟାନଚାନ୍ଦ ସମସ୍ତଙ୍କ ଆକର୍ଷିତ କରିଥିଲେ।୧୯୩୬ ଅଲିମ୍ପିକ୍ସରେ ହକି ଫାଇନାଲରେ ଭାରତ ଜର୍ମାନୀକୁ ୮-୧ରେ ପରାସ୍ତ କରିଥିଲା। ଜର୍ମାନୀର ଏହି ପରାଜୟକୁ ହିଟଲର ସହ୍ୟ କରି ନ ଥିଲେ ଏବଂ ସେ ଷ୍ଟାଡିୟମ ଛାଡି ପଳାଇଥିଲେ। ମ୍ୟାଚରେ କେବଳ ଧ୍ୟାନଚାନ୍ଦ ୩ଟି ଗୋଲ ସ୍କୋର କରିଥିଲେ।ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ଦେଖି ହିଟଲର ମ୍ୟାଚ ପରେ ତାଙ୍କୁ ପଚାରିଥିଲେ ଯେ ହକି ବ୍ୟତୀତ ତୁମେ କ’ଣ କର? ଧ୍ୟାନଚାନ୍ଦ କହିଥିଲେ, ମୁଁ ଜଣେ ଭାରତୀୟ ସୈନିକ। ଏହା ପରେ ହିଟଲର ତାଙ୍କୁ ଜର୍ମାନ ସେନାରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଧ୍ୟାନଚାନ୍ଦ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି।