ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଡଙ୍ଗା ଭସାଇବା ପାଇଁ ପୋଖରୀ, ନଦୀ ଆଦି ବିଭିନ୍ନ ଜଳାଶୟରେ ଭିଡ ଜମିଛି । ଧୂପ,ଦୀପ, କର୍ପୁର ମହକରେ ପରିବେଶ ସୁଗନ୍ଧିତ ହୋଇଉଠିଛି । ତା’ସାଙ୍ଗକୁ ହୁଳହୁଳି ଓ ଘଣ୍ଟର ତାନ ସଭିଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଭାବନା ।କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତର ଉଦ୍ଯାପନ କରାଯାଇଥାଏ । ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।ପୁରାଣ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ । ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ । କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ, ଏହି ସମୟର ପବନର ଗତି ସେମାନଙ୍କ ଯାତ୍ରା ପାଇଁ ଅନୁକୂଳ ଥିଲା । ପୁଣି ଆଷାଢ଼ ମାସରେ ଫେରୁଥିଲେ। ସେଇ ସାଧବପୁଅଙ୍କ ଦୁଃସାହସିକ ବୋଇତ ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ରହିଆସିଛି । ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ଡଙ୍ଗା ଭସାଇ ଲୋକେ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିଥାନ୍ତି ।
