ଆଜି ପବିତ୍ର ଗୋପାଷ୍ଟମୀ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି ।ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରେଇଥିଲେ | ମାଆ ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମାଆ ଯଶୋଦାଙ୍କ ପାଖେ ବହୁତ ଜିଦ୍ କଲେ | ତାଙ୍କ କଥାରେ ରାଜି ହୋଇ ମାଆ ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ପୂଜା କରିବା ପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠାଇଥିଲେ | ସେହିଦିନ ଠାରୁ ଗୋପାଷ୍ଟମୀରେ ଗାଈ ପୂଜା ପାଆନ୍ତି |ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତ୍ତିକଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ,ଗୋପ ଏବଂ ଗୋପୀମାନଙ୍କ ରକ୍ଷାନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ ।ଅଷ୍ଟମ ଦିନ ଦେବରାଜ ଇନ୍ଦ୍ର ଅହଙ୍କାର ଭଙ୍ଗ ହୋଇଥିଲା। ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ। ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରି ଥିଲେ।ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଥିଲା ।’ଗୋ’ ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ, ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି ।ଏହି ସମସ୍ତ କାରଣ ପାଇଁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ଭାରତରେ ସର୍ବତ୍ର ପାଳନ କରାଯାଇଥାଏ। ଗୋ ମାତା ମାନଙ୍କୁ ସ୍ଥାନେ ସ୍ଥାନେ ଶୋଭାଯାତ୍ରା କରାଯାଇ ନିଜ ଅନ୍ତର ର ଭକ୍ତି ନିବେଦନ ଅର୍ପଣ କରାଯାଏ।