ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସର ପ୍ରତୀକ ରାଖି । ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହ ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ହାତରେ ରାଖି ବାନ୍ଧିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଓ ଭଉଣୀ । ପିତଳ ଥାଳିରେ ଧୂପ, ଦ୍ୱୀପ, ଚନ୍ଦନ, ମିଠା ସହିତ ସମ୍ପର୍କର ରେଶମ ଡୋରୀ ରାଖିକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ । ରେଶମ ଡୋରୀରେ ବନ୍ଧା ଏହି ବନ୍ଧନରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ ।ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।
