ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି
ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି।ଗତକାଲି ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ ।
ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ ।
