ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷ ଆରମ୍ଭ । କଣ ଏହାର ମାହାତ୍ମ୍ୟ

 ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି ।  ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।ଓଡ଼ିଶାବାସୀଙ୍କ ପାଇଁ ପଣା ସଂକ୍ରାନ୍ତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହୋଇଥାଏ। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ।

ଚଉଁରା ଓ ବେଲଗଛ ମୂଳେ ବେଲପଣା ଭୋଗ ଲଗାଯାଇଥାଏ। ବସୁନ୍ଧରା ଠେକିରେ ଏକ କଣା କରି ସେଥିରେ ଛତୁଆ, ଦହି, ଗୁଡ଼ମିଶା ବେଲପଣା ରଖି ଚଉଁରାରେ ଟଙ୍ଗା ଯାଇଥାଏ। ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ଦଣ୍ଡନାଚ ଓ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଥାଏ। ଦଣ୍ଡପାଟୁଆମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥା’ନ୍ତି। ମହାବିଷୁବ ସଂକ୍ରାନ୍ତିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବଦେବୀଙ୍କ ସ୍ଥାନାନ୍ତର ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳିତ ହୋଇଥାଏ।

ପଣା ସଂକ୍ରାନ୍ତିରେ ଲୋକମାନେ ବ୍ରତ ଧାରଣ କରିଥା’ନ୍ତି। ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା। ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ।