ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ମା ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । କଥିତ ଅଛି, ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ । ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନ କରି ନିଜକୁ ସୌଭାଗ୍ୟ ମଣିଥାନ୍ତି । ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ, ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆ ଗୁଡିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ। ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ୱାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ। ସବୁ ଠାକୁରମାନଙ୍କର ମୁଖର ଉପର ପାଶ୍ୱର୍ରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ ।