ଆଜି ଶ୍ରୀମନ୍ଦିରର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ ରତ୍ନ

ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର । ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପି, ଏଏସ୍‌ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍‌କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍‌ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସାମିଲ ହେବେ। ମାର୍ଗଦର୍ଶିକା ଆଧାରରେ ପୂର୍ବାହ୍ନ ୧୦ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଅମୃତ ବେଳା ଅନୁସାରେ ସକାଳ ୭ଟା ୧୭ରୁ ପୂର୍ବାହ୍ନ ୧୧ଟା ୧୭ ମଧ୍ୟରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।