ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ
୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା।ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା | ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ | ତେବେ ପୂର୍ବରୁ ଓଡ଼ିଆ ସାମ୍ବାଦିକତାରେ ଏତେ ସୁଯୋଗ ନ ଥିଲା। ମାତ୍ର ଏବେ ଖବରକାଗଜଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍, ଓ୍ବେବ୍ ମିଡିଆ ରହିଛି। ସେହିପରି ଏ କ୍ଷେତ୍ରରେ ଚାକିରିର ମଧ୍ୟ ଭଲ ସୁଯୋଗ ରହିଛି। କେବଳ ତାହାର ସଦୁପଯୋଗ କରିବାର କୌଶଳ ଆବଶ୍ୟକ। କିନ୍ତୁ ସାମ୍ବାଦିକତା କରିବା ବହୁତ ସହଜ, ମାତ୍ର ଠିକ୍ ଦାୟିତ୍ୱ ତୁଲାଇବା ଚ୍ୟାଲେଞ୍ଜପୂର୍ଣ୍ଣ। ସାମ୍ବାଦିକତା କରି ନିଜ ଭବିଷ୍ୟତ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍ବତନ୍ତ୍ର ରୁଚି ରହୁଛି। ଓଡ଼ିଶାର ଗାଁଠାରୁ ସହର ସବୁଠି ସାମ୍ବାଦିକମାନେ ବେଶ୍ ସକ୍ରିୟ ରହୁଛନ୍ତି। ହେଲେ ସମାଜ ପାଇଁ କାମ କରୁଥିବା ସାମ୍ବାଦିକଙ୍କୁ ସ୍ବତନ୍ତ୍ର ସମ୍ମାନ ମିଳିବା ଦରକାର। ଓଡ଼ିଆ ସାମ୍ବାଦିକତାକୁ ସ୍ବତନ୍ତ୍ର ପରିଚୟ ମିଳିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ନୂଆ ଯୋଜନା କରିବା ଦରକାର।
