ଆଜି ହ୍ୟୁମାନଙ୍କ ସାଗରଙ୍କ ଜନ୍ମ ଦିନ,ଭାବବିହ୍ୱଳ ଫ୍ୟାନ୍ସ ସମେତ କଳାକାର

ଆଜି ହ୍ୟୁମାନଙ୍କ ସାଗରଙ୍କ ଜନ୍ମ ଦିନ। ଯଦି ବଞ୍ଚିଥାନ୍ତେ ତାହାଲେ କେତେ ବଡ ସେଲିବ୍ରେସନ୍ ହୋଇଥାନ୍ତା, କେତେ ଖୁସି ମନାଇଥାନ୍ତେ। କିନ୍ତୁ ଭାଗ୍ୟ ସାଥ୍ ଦେଲାନି। ହେଲେ ଜନ୍ମଦିନ ପୂର୍ବରୁ ଲିଭିଯାଇଛି ଗାୟକଙ୍କ ଜୀବନର ଦୀପ । ଆଜିଠୁ ଠିକ୍ ୯ ଦିନ ତଳେ ଅର୍ଥାତ୍ ୧୭ ନଭେମ୍ବରରେ ସେ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କ ଦେହାନ୍ତକୁ ଆଜି ବି ଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଜନ୍ମିତ ହ୍ୟୁମାନ୍ ସାଗରଙ୍କ ବାପା ଓ ମା ଉଭୟ କଣ୍ଠଶିଳ୍ପୀ ଥିଲେ। ତାଙ୍କ ଜେଜେ ବାପା ମଧ୍ୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ହ୍ୟୁମାନ ତୃତୀୟ ଶ୍ରେଣୀରୁ ସଙ୍ଗୀତ ଶିକ୍ଷା କରିଥିଲେ । ୨୨ ବର୍ଷ ବୟସରେ ସେ ତରଙ୍ଗ ଟିଭିର ଲୋକପ୍ରିୟ ସୋ ଭଏସ୍‌ ଅଫ୍ ଓଡିଶା ସିଜନ୍-୨ରେ ଅଂଶ ଗ୍ରହଣ କରି ବିଜେତା ହୋଇଥିଲେ। ୧୫ ହଜାର ଗୀତ ସେ ଗାଇ ସାରିଛନ୍ତି। ନିଜର ଚିରସବୁଜ ଗୀତ ମାଧ୍ୟମରେ ସେ ଆଜି ସମସ୍ତଙ୍କ ହୃଦୟରେ ବଞ୍ଚି ରହିଥିବା ବେଳେ ସେହି ମହାନ ଆତ୍ମାଙ୍କ ସଦଗତି କାମନା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ଆଜି ଓଡ଼ିଶା । ତାଙ୍କ ସହ କାମ କରୁଥିବା ତାଙ୍କ ପାଇଁ ଗୀତ ଲେଖୁଥିବା ପ୍ରତିଟି କଳାକାର ଆଜି ବି ତାଙ୍କ ମନେ ପକାଉଛି । ଆଉ ସ୍ମୃତିର ସେହି ସୁନେଲି ଅନୁଭୂତିକୁ ପାସୋରି ଭାବବିହ୍ୱଳ ହେଉଛନ୍ତି ।ହ୍ୟୁମାନ ସାଗରଙ୍କ ମୃତ୍ୟୁ ଗତ ୧୭ ତାରିଖ ଦିନ ରାତିରେ ହୋଇଥିଲା । ସେ ଏକାଧିକ ରୋଗରେ ପୀଡ଼ିତ ଥିବା ବେଳେ ନଭେମ୍ୱର ୧୪ ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ଗାୟକଙ୍କୁ ବଞ୍ଚାଇ ପାରି ନଥିଲେ ଡାକ୍ତର ।