ଆମେରିକାରେ ତୈଳ ବିଶୋଧନାଗାର ଖୋଲିବ ରିଲାଏନ୍ସ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ୩୦୦ ବିଲିୟନ ଡଲାରର ତୈଳ ବିଶୋଧନାଗାର ଚୁକ୍ତି ଘୋଷଣା କରିଛନ୍ତି। ଏଥିପାଇଁ ସେ ଭାରତୀୟ କମ୍ପାନି ରିଲାଏନ୍ସକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ଏହି ବିଶୋଧନାଗାର ଟେକ୍ସାସର ବ୍ରାଉନ୍ସଭିଲରେ ପ୍ରତିଷ୍ଠା କରାଯିବ। ଏହା ଆମେରିକାରେ ଶକ୍ତି ଉତ୍ପାଦନ ବୃଦ୍ଧି କରିବ। ରିଲାଏନ୍ସ ଏହି ପ୍ରକଳ୍ପରେ ୩୦୦ ବିଲିୟନ ଡଲାର ନିବେଶ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ଯେ ଆମେରିକା ପ୍ରକୃତ ଶକ୍ତି ପ୍ରାଧାନ୍ୟକୁ ଫେରି ଆସୁଛି। ଆଜି, ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ଆମେରିକା ଫାଷ୍ଟ ରିଫାଇନିଂ ଟେକ୍ସାସର ବ୍ରାଉନ୍ସଭିଲରେ ୫୦ ବର୍ଷ ମଧ୍ୟରେ ପ୍ରଥମ ନୂତନ ଆମେରିକୀୟ ତୈଳ ବିଶୋଧନାଗାର ଖୋଲିବାକୁ ଯାଉଛି। ଟ୍ରମ୍ପ ଏହି ନିବେଶକୁ ଦାବି କରି ଏହାକୁ ଆମେରିକା ଇତିହାସର ସବୁଠାରୁ ବଡ଼ ଚୁକ୍ତି ବୋଲି କହିଥିଲେ। ଏହି ବିପୁଳ ନିବେଶ ପାଇଁ ସେ ରିଲାଏନ୍ସକୁ ଧନ୍ୟବାଦ ଜଣାଇଛନ୍ତି ।ଏହା ବିଶ୍ୱବ୍ୟାପୀ ରପ୍ତାନିକୁ ବୃଦ୍ଧି କରିବା ସହ ହଜାର ହଜାର ନିଯୁକ୍ତି ସୁଯୋଗ ଏବଂ ଅଭିବୃଦ୍ଧି ଆଣିବ ବୋଲି ଟ୍ରମ୍ପ କହିଛନ୍ତି ।