ଆମେରିକା – ଚୀନ୍ ମଧ୍ୟରେ ଟ୍ରେଡ୍ ୱାର୍ : ଚୀନ୍ ଉପରେ ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ
ଚରମ ସୀମାରେ ପହଞ୍ଚିଲା ଚୀନ୍ , ଆମେରିକାର ବାଣିଜ୍ୟ ଯୁଦ୍ଧ। ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି ।ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି । ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି । ଚୀନ୍ ଏକ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ ବୋଲି ଟ୍ରମ୍ପ୍ କହିଛନ୍ତି । ସେ ଦାବି କରିଛନ୍ତି ଯେ ଚୀନ୍ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା ଲାଗୁ କରିବାକୁ ଯୋଜନା କରୁଛି, ଯାହା ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି କରୁଛି ।ଚୀନ ଦ୍ୱାରା ‘ରେୟାର୍ ଆର୍ଥ’ ଖଣିଜ ଉପରେ ରପ୍ତାନୀ ନିୟନ୍ତ୍ରଣ କଡ଼ାକଡ଼ି ହୋଇଛି । ‘ରେୟାର୍ ଆର୍ଥ’ AI, ପ୍ରତିରକ୍ଷା ଓ EV ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ନିୟନ୍ତ୍ରଣକୁ ପାଞ୍ଚଟି ନୂଆ ଉପାଦାନ ଏବଂ ଅନେକ ବିଶୋଧନ ପ୍ରଯୁକ୍ତିବିଦ୍ୟାକୁ ବଢ଼ାଯାଇଛି । ଯେଉଁ ବିଦେଶୀ ସଂସ୍ଥାମାନେ ୦.୧% ରୁ ଅଧିକ ଚୀନ ସାମଗ୍ରୀ ବ୍ୟବହାର କରିବେ ସେମାନଙ୍କୁ ଏବେ ଲାଇସେନ୍ସ ନେବାକୁ ପଡିବ । ଟ୍ରମ୍ପ ଏହାକୁ “ଅତ୍ୟନ୍ତ ଆକ୍ରାମକ ବୋଲି କହିଛନ୍ତି ।
