ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା; ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଲା ନାହିଁ

ଚଳିତବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇବେ ଭେନେଜୁଏଲାର ମାରିଆ କୋରିନା ମାଚାଡୋ । ସେପଟେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦୀର୍ଘଦିନ ଧରି ଲବି କରିଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇଛନ୍ତି । ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର ହେଇଯାଇଛି ଆଉ ଯେଉଁ ଲବି ସେ ବୁଲି ବୁଲି କରୁଥିଲେ ବୋଲି ଅଭିଯୋଗ ହୁଏ ସେ ଅଭିଯୋଗ ଉଭେଇଯାଇଛି । ସେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ କି ଇରାନ-ଇସ୍ରାଏଲ ଯୁଦ୍ଧ । ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ହେଉ କି ମିଶର ଏବଂ ଇଥିଓପିଆ ମଧ୍ୟରେ ଯୁଦ୍ଧ । ସବୁଠି ଟ୍ରମ୍ପ୍ ନିଜର ମଧ୍ୟସ୍ଥତା ବଳରେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ଆଉ ଯୁଦ୍ଧ ବନ୍ଦ କରି ସେ ଏହା ବି କହିଛନ୍ତି ମୁଁ ଯୁଦ୍ଧ କୌଣସି ନୋବେଲ ପୁରସ୍କାର ପାଇବା ପାଇଁ କରୁନି । ବରଂ ଶାନ୍ତି ଫେରାଇ ଆଣିବା ପାଇଁ କରୁଛି । ଯଦିଓ ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିବା ପରେ ତେଲୁଆ ପାକିସ୍ତାନ ଟ୍ରମ୍ପଙ୍କୁ ମିଛ ପ୍ରଶଂସା କରିବାକୁ ଯାଇ ତାଙ୍କୁ ଏଥର ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ଦାବି କରିଥିଲା । ପାକିସ୍ତାନ ପରେ ପରେ ଇସ୍ରାଏଲ ବି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାରର ଦାବି କରିଥିଲା । ତେବେ ଅନେକ ଦେଶର ଟ୍ରମ୍ପଙ୍କ ପାଇଁ ଲବି କରିବା ପରେ ଟ୍ରମ୍ପ ବି ନିଜକୁ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲେ । ଆଉ କହିଥିଲେ- ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି, ଯାହା ଏହା ପୂର୍ବରୁ କେବେ ହୋଇନାହିଁ। କିନ୍ତୁ ନୋବେଲ କମିଟିକୁ ଯାହା କରିବାର ଥିବ ସେ କରିବେ। ସେମାନେ ଯାହା କରନ୍ତି ତାହା ଠିକ୍ ।