ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ହେଲା ଲୋକାର୍ପିତ
ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍ ଜରିଆରେ ମିଳିପାରିବ ।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି “ଆମ ସାଥି” ଚାଟବଟ୍ ଏବଂ ସେଣ୍ଟ୍ରାଲ୍ ମନିଟରିଂ ସିଷ୍ଟମ୍ ୨.୦ । ଏଥିପାଇଁ “ଆମ ସାଥି” ହ୍ଵାଟ୍ସଆପ୍ ଚାଟ ବଟ ନମ୍ବର 9437292000ରେ ମେସେଜ ଦେଲେ ୧୩୨ଟି ସେବା ଉପଲବ୍ଧ । ସରକାରଙ୍କ ପକ୍ଷରୁ ୧୩୨ଟି ସେବା ଏଥିରେ ଉପଲବ୍ଧ କରାଯାଇଛି । ଏହାକୁ ମୁଖ୍ୟ ଶାସନ ସଚିବ ଲୋକାର୍ପଣ କରିଛନ୍ତି ।୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ୍ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପ୍ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ଓଡ଼ିଆ ବା ଇଂରାଜୀ ଲେଖି ଜାଣିନଥିବା ଲୋକମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ ତେବେ ଆବେଦନ ପାଇଁ ଆବଶ୍ୟକ ଫି’ ମଧ୍ୟ ସେହି ଚାଟ ବଟ୍ ମାଧ୍ୟମରେ ଦାଖଲ କରି ହେବ । ଏହି ସେବା ୭ ଦିନ ୨୪ ଘଣ୍ଟା ଉପଲବ୍ଧ ହେବ । ଆବେଦନ ସହ ତାର ସ୍ଥିତି ଏବଂ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସମସ୍ତ ନୋଟିଫିକେସନ୍ ସେଥିରେ ଗୋଟିଏ ସ୍ଥାନରେ ମିଳିବ । ତେବେ କୌଣସି ଆବେଦନ ଅଧାରୁ ହ୍ଵାଟ୍ସଆପ୍ ଚାଟକୁ କାଟିଦେଲେ ପୁଣି ଥରେ ପ୍ରଥମରୁ ଆବେଦନ କରିବାକୁ ପଡ଼ିବ ।
