ଆରପାରିକୁ ଚାଲିଗଲେ କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା

ଯାତ୍ରା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଥିବାବେଳେ ଆଜି କଳିଙ୍ଗ ଗଣନାଟ୍ୟର ଜଣେ ହାସ୍ୟାଭିନେତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଦେବେନ୍ଦ୍ର ଦାଶ ଓରଫ୍ ବୁଧିଆନା କଳିଙ୍ଗ ଗଣନାଟ୍ୟର ଥିଲେ। ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି | ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ | ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ | ବୁଧିଆ ନନାଙ୍କ ଘର ଜଗତସିଂହପୁରର ଗୋପାଳପୁର ହୋଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯାତ୍ରା ଦୁନିଆ ସହ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରୀ ଖେଳିଯାଇଛି | ସେପଟେ ସିଂହବାହିନୀ ଯାତ୍ରା ଅଭିନେତ୍ରୀ ତମସା ଙ୍କ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ହଠାତ୍ ଭୀଷଣ ଜ୍ବର ଏବଂ ଥଣ୍ଡା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ପୁଅର ମୃତ୍ୟୁ ପରେ ତମସା ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।