ଆରମ୍ଭ ହେବାକୁ ଯାଉଛି ‘ଆମ ସୁବାହକ’

ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ପୂର୍ବ ସରକାରଙ୍କ ସ୍କୁଟି ଯୋଜନାର ରୂପରେଖ ବଦଳିଲା । ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣାଇଦେବେ ସରକାର । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍‌ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍‌ । ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ ଦିଆଯିବ ଗାଡ଼ି । ଇଭି ଗାଡ଼ି କିଣିଲେ ଅଧିକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି । ୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ । ତେବେ ଏହି ଯୋଜନା ଡିସେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆମ ସୁବାହକ କାର୍ଯ୍ୟକ୍ରମର ଏକ ବିସ୍ତାର । ଯେଉଁଥିରେ ପୂର୍ବରୁ ଅତି କମରେ ୩୦ ଜଣ ମହିଳାଙ୍କୁ ଏହା ଅଧିନରେ ତାଲିମ ଦିଆଯାଇଥିଲା। ଆଉ ଏବେ ଆଗାମୀ ୪ ଆର୍ଥିକ ବର୍ଷ ମଧ୍ୟରେ, ସରକାର ୧୧୦୦ ମହିଳା ଗତିଶୀଳତା ଉଦ୍ୟୋଗୀଙ୍କ ଏକ ନେଟୱାର୍କ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ।ଆବେଦନକାରୀଙ୍କ ପାଖରେ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (IDTR) ରେ ସମ୍ପୂର୍ଣ୍ଣ ଦକ୍ଷତା ବୃଦ୍ଧି ତାଲିମ ଥିବା ଆବଶ୍ୟକ। ଏହି ଯୋଜନାରେ ସରକାରୀ ବସ୍ ଚଲାଇବାରେ ପୂର୍ବରୁ ନିୟୋଜିତ ମହିଳା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରାଥମିକତା ଦିଆଯିବ। ଯାହା ପରିବହନ କ୍ଷେତ୍ରରେ ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ପ୍ରଦାନ କରିବ ।