ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ

ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ।ଆସନ୍ତାକାଲି ସକାଳ ୧୦ଟା ଯାଏ ବନ୍ଦ ରହିବ କଟକ। ତେବେ ବନ୍ଦ ସତ୍ତ୍ବେ କଟକରେ ବସ୍ ଚଳାଚଳ ସ୍ବାଭାବିକ ରହିଛି।କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ସମସ୍ତ ସରକାରୀ ଅଫିସ ବି ଖୋଲା ରହିବା ସହ ଜରୁରୀ ସେବା ଜାରି ରହିଛି। ତେବେ ଗତକାଲି ବନ୍ଦ ସପକ୍ଷରେ ବାହାରିଥିଲା ବିଶାଳ ଶୋଭାଯାତ୍ରା। କିନ୍ତୁ ଏହି ସମୟରେ ବି ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଡିସିପିଙ୍କ ଉପରେ ପୁଣି ଆକ୍ରମଣ ହୋଇଥିଲା। ଗତକାଲି ଶୋଭାଯାତ୍ରା ବେଳେ ଦରଘା ବଜାର ନିକଟରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ ଠାରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା ଓ ଢେଲାପଥର ମାଡ଼ ହୋଇଥିଲା।

ଏଥିରେ ଡିସିପି ଖିଲାରି ଋଷିକେଶଙ୍କ ସମେତ ୨୬ଜଣ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିବା ସହ ଟିୟର ଗ୍ୟାସ ବି ପ୍ରୟୋଗ କରିଛି। ସେହିପରି ୬୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘା ବଜାରରେ ପୋଲିସର ସ୍ବତନ୍ତ୍ର କ୍ୟାମ୍ପ ଖୋଲାଯାଇଛି। ଶାନ୍ତି ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।ସୋସିଆଲ ମିଡିଆ ନେଇ ଆଡଭାଇଜରୀ ଜାରି କରିଛି ଓଡ଼ିଶା ପୋଲିସ। କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ବିଭ୍ରାନ୍ତିକର ପୋଷ୍ଟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସେହିପରି ଗୁଜବ ଓ ମିଛ ପୋଷ୍ଟକୁ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି।