ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ନୀତୀଶ କୁମାର
ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ, ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସରକାରରେ କାହାର କେତେ ଭାଗିଦାରୀ ରହିବ, କାହାକୁ କେତେ ମନ୍ତ୍ରୀ ପଦ ମିଳିବ? ସେନେଇ ଏବେ ଚାଲିଛି ଚର୍ଚ୍ଚା ଆଲୋଚନା । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୨୦୦ ରୁ ଅଧିକ ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଛି, ଯେଉଁଥିରେ ଭାଜପା ସର୍ବାଧିକ ୮୯ ଆସନ ଜିତିଛି, ଏହା ପରେ ଜେଡି(ୟୁ) ୮୫ ଆସନ ପାଇଛି। କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଳାସ) ୧୯ ଆସନ ପାଇଛି, ଏବଂ ଛୋଟ ସହଯୋଗୀ ଏଚଏଏମ ଏବଂ ଆରଏଲଏମ ବାକି ୯ ଆସନ ଜିତିଛି। ତେବେ ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗାନ୍ଧୀ ମୈଦାନରେ ଚାଲିଛି ସମାରୋହର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେଥିପାଇଁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିହାର ଗାନ୍ଧୀ ମୈଦାନକୁ ବନ୍ଦ ରଖିଛି ପ୍ରଶାସନ ।
