ଆସନ୍ତୁ ଜାଣିବା ଶ୍ରୀ ବଳଦେବଙ୍କ ଜନ୍ମ ବିଷୟ ରେ।


ଭୋଜବଂଶରେ ଶୂରସେନ ନାମକ ଜଣେ ପ୍ରତାପୀ ରାଜା ଥିଲେ।ସେ ଅନେକ ନୃପତିଙ୍କୁ ଜୟ କରି ମଥୁରା କଟକରେ ନିଜର ଆଧିପତ୍ୟ ବିସ୍ତାର କଲେ। ସେହି ବିଷ୍ଣୁଭକ୍ତ ରାଜା ଙ୍କର ପୁତ୍ର ହେଉଛନ୍ତି ଉଗ୍ରସେନ।ଦେବକ ହେଉଛନ୍ତି ତାଙ୍କର ଭାଇ।ଦେବକଙ୍କର ଦୁହିତା ହେଉଛନ୍ତି ଦେବକୀ।ଦେବକ ତାଙ୍କ ଅପରୂପା ସୁନ୍ଦରୀ କନ୍ୟା ଦେବକୀ ଙ୍କୁ ନାନାଦି ଆଡ଼ମ୍ବର ସହକାରେ ବସୁଦେବଙ୍କ ସହିତ ବିବାହ କରାଇଲେ। ଉଗ୍ରସେନଙ୍କ ପୁତ୍ର କଂସ ଅତ୍ୟନ୍ତ ଉଦ୍ଧତ ଥିଲା। ତା’ର ଚାଲିରେ ବସୁଧା ଥରୁଥିଲା।ସେ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ଶୁଦ୍ଧ ସୁବର୍ଣ୍ଣ ରଥରେ ବସାଇ ନିଜେ ଅଶ୍ଵ ଦଉଡି ଧରି ରଥ ବାହିଲା। ରାଜାମାନେ କଂସକୁ ପ୍ରଶଂସା କଲେ। କିଛି ବାଟ ଯାଇଛି, ଶୂନ୍ୟବାଣୀ ହେଲା,” ରେ ରେ କଂସ, ଶୁଣ! ତୁ ଯାହାର ରଥ ବାହୁଛୁ, ତାଙ୍କରି ଅଷ୍ଟମ ଗର୍ଭ ସନ୍ତାନ ତୋତେ ମାରି ଧରଣୀର ଭାରା ଉଶ୍ୱାସ କରିବେ।”ଶୂନ୍ୟବାଣୀ ଶୁଣି କଂସ ରଥରୁ ଓହ୍ଲାଇ ଭଉଣୀ ଦେବକୀଙ୍କ ଚୁଟି ଧରି ଖଣ୍ଡା ଉଚାଇ କହିଲା,
“ମୂଳୁ ମାରିଲେ ଯିବ ସରି।
ଦେବଙ୍କ ସଙ୍ଗେ କିମ୍ପା କଳି।।”
ବସୁଦେବ ଭୟରେ ଥରିବାକୁ ଲାଗିଲେ।ସେ ବହୁତ ଅନୁନୟ ବିନୟ ହୋଇ ବହୁତ ପ୍ରକାରର ଧର୍ମବାଣୀ ଶୁଣାଇ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ କଂସ ବସୁଦେବଙ୍କ କିଛି କଥା ଶୁଣିଲା ନାହିଁ। ଭଗବାନଙ୍କୁ ମନେ ମନେ ଚିନ୍ତା କରି ବସୁଦେବ କଂସକୁ କହିଲେ,”ଦେବକୀର ପୁତ୍ର ତୋତେ ମାରିବ। ଦେବକୀ ତୋର ବଇରୀ ନୁହେଁ। ମୁଁ ଦଶଦିଗପାଳଙ୍କୁ ଶୁଣାଇ ନାରାୟଣଙ୍କୁ ସାକ୍ଷୀ ରଖି ତ୍ରିବାର ସତ୍ୟ କରି କହୁଛି,ଦେବକୀ ଠାରୁ ଜନ୍ମିତ ସବୁ ଶିଶୁଙ୍କୁ ତୋତେ ସମର୍ପି ଦେବି।” ଏକଥା ଶୁଣି କଂସ ମନରେ ବିଶ୍ଵାସ ଜନ୍ମିଲା।ସେ ଦେବକୀର କେଶ ଛାଡ଼ି ଦେଲା। କିଛି ଦିନ ପରେ ଦେବକୀ ପ୍ରଥମ ସନ୍ତାନ ଗର୍ଭରେ ଧାରଣ କଲେ।

ପ୍ରଥମ ସନ୍ତାନ ଜନ୍ମ ଗ୍ରହଣ କଲେ।ପ୍ରଥମ ସନ୍ତାନ ପୁତ୍ରକୁ ଦେଖି ବସୁଦେବଙ୍କର ମନ ମୋହିତ ହୋଇଗଲା।
ପୁଣି ସେ ଭାବିଲେ, ଯେହେତୁ ସତ୍ୟ କରିଛି, ତେଣୁ କଂସକୁ ନିଶ୍ଚୟ ଦେବି। ଏଭଳି ଭାବି କଂସ ରାଜସଭାରେ ଯାଇ ପହଞ୍ଚି ଶିଶୁ ସନ୍ତାନକୁ ତଳେ ଶୁଆଇ ଦେଲେ। କଂସ ମନେ ମନେ ଭାବିଲା, ଏ ତ ମୋ ଶତ୍ରୁ ନୁହେଁ,ଅଷ୍ଟମ ଗର୍ଭ ମୋତେ ମାରିବ।ଭାବିଲା, ବସୁଦେବ ଯେହେତୁ ଜଣେ ସତ୍ଯବନ୍ତ ପୁରୁଷ, ସେ ତାହାର ସନ୍ତାନ ଫେରାଇ ନେଉ। ଏକଥା ଶୁଣି ବସୁଦେବ ଚକିତ ହୋଇ କିଛି ସମୟ କୁମରକୁ କୋଳରେ ଧରି ଚିନ୍ତା କଲା, ଯଦି ବାହୁଡାଇ ନେବି ଓ କଂସ ପୁଣି ଥରେ ଆଣି ତାକୁ ମାରିବ,ଦେବକୀକୁ ବହୁତ କଷ୍ଟ ହେବ। ଏହିଭଳି କିଛି ସମୟ ଚିନ୍ତା କରି ପୁତ୍ରକୁ ବାହୁଡାଇ ନେଇ ଦେବକୀ କୋଳରେ ଦେଲେ। ଦେବକୀ ପୁଅକୁ ଫେରି ପାଇ ମାତୃତ୍ଵର ବିଚ୍ଛେଦ ଦୁଃଖ ପରେ ପୁଣି ଫେରି ପାଇବା ଆନନ୍ଦରେ ମାତୃତ୍ଵର ସ୍ନେହ ଆଦରରେ କୋଳରେ ଜାବୁଡ଼ି ଧରିଲେ।
କଂସ ରାତ୍ରୀକାଳୀନ ଶୀତଳ ମଣୋହି ସାରି ଅନ୍ତଃପୁର ପଲଙ୍କରେ ବିଜେ କଲା। ଏହି ସମୟରେ ନାରଦ ମହର୍ଷି ବୀଣା ବାଦନ କରି ପହଞ୍ଚିଲେ।

ତାଙ୍କୁ ଦେଖି କଂସ ଶୟନ ତ୍ୟାଗ କରି ପ୍ରଣାମ କଲା।ନିଜ ଆସନରେ ବସାଇ ପରମ ଭକ୍ତିଭାବ ସହ ତାଙ୍କ ପାଦ ପୂଜା କଲା। ମହର୍ଷି ନାରଦ ତା’ର ଭକ୍ତି ଦେଖି ଶୋକ ଗଦଗଦ ହୋଇ କହିଲେ,” ଦାନବ ଶିରୋମଣି, ତୋର ମୃତ୍ୟୁ ରହସ୍ୟ ମୁଁ କହୁଛି,ଶୁଣ। ପୃଥିବୀର ବିକଳ ଦେଖି ବ୍ରହ୍ମା,ଶିବ ଓ ଦେବଗଣ କ୍ଷୀର ସମୁଦ୍ରରେ ପହଞ୍ଚି ସ୍ତୁତି କରିବାରୁ ଭଗବାନ ବିଷ୍ଣୁ କହିଲେ, ମୁଁ ମନୁଷ୍ୟ ଶରୀରରେ ଜନ୍ମ ଗ୍ରହଣ କରି ସବୁ ଅସୁରଙ୍କୁ ମାରି ଅବନୀର ଭାରା ଉଶ୍ୱାସ କରିବି। ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ଦ୍ଵାରା ତୋର ବିନାଶ ହେବ।”
ଏସବୁ କଥା ଶୁଣି କଂସ ଅତି ଦୁଃଖରେ ରାତି କଟାଇଲା।ରାତି ପାହିବା ମାତ୍ରେ ଅସୁର ମାନଙ୍କୁ ସାଙ୍ଗରେ ନେଇ ଦେବକୀ ଠାରୁ ବାଳକକୁ ଛଡାଇ ଆଣି ଶିଳାରେ କଚାଡିଲା। ଦେବକୀ ବସୁଦେବଙ୍କୁ ବନ୍ଧନ କରି ବନ୍ଦୀ ଘରେ ରଖିଲା।ପ୍ରହରୀ ଜଗାଇ ଦେବକୀର ସନ୍ତାନ ଜନ୍ମ ହେଲେ ଖବର ଦେବାକୁ ନିର୍ଦ୍ଦେଶ ଦେଲା।
“ପ୍ରହରୀ ଶତେକ ଜଗାଇ।
କହଇ ରୋଷଭର ହୋଇ।।
ଦେବକୀ ଯେତେ ପ୍ରସବିବ।
ମୋର ଛାମୁରେ ଜଣାଇବ।।”
“କଂସ ଜାଣଇ ଯୋଗବଳେ।
ମୁଁ ଜାତ ଦାନବର କୁଳେ।।
ଅନେକ ବାର ମୋତେ ମାରି।
ମୋକ୍ଷ ନଦେଲେ ନରହରି।।
ଏବେ ମାରିବେ ହରି ମୋତେ।
ଭାଗ୍ଯ ମୋ କେ କରିବ ଅନ୍ତେ।।
ଏମନ୍ତ ମନେ ବିଚାରିଲା।
ଯଦୁଙ୍କ ସଙ୍ଗେ ବାଦ କଲା।।”
କଂସ ଅତି ତରବରରେ ବୀରକେଶୀ,ବାଣା,ନାରକା,ଜରାସନ୍ଧ,ପ୍ରଳମ୍ବା,ବକା,ବତ୍ସାସୁର, ପୁତନା, ମୁଷ୍ଟିକ,ଅଘା,ଚାଣୁର,ତୃଣାବର୍ତ୍ତ,ଷଣ୍ଢାସୁର,ଦ୍ଵିବିନ୍ଦ ବାନର ଆଦିଙ୍କୁ ଡକାଇ କହିଲା,ମହର୍ଷି ନାରଦ କହିଗଲେ,”ଯଦୁବଂଶୀ ହାତରେ ତୋର ମୃତ୍ୟୁ ହେବ।” ତୁମେମାନେ ଯଦୁବଂଶୀ ମାନଙ୍କୁ ବିନାଶ କର। ଅସୁର ମାନଙ୍କ ଭୟରେ ଯାଦବ ମାନେ ଦେଶାନ୍ତର ହୋଇ ପଳାଇଗଲେ।କିଏ ଯାଇ କୁରୁ ନଗରରେ,କିଏ ପାଞ୍ଚାଳ ଦେଶରେ,କିଏ ବିଦେହ,ନିଷଧ ଅବା କୋଶଳରେ ଜୀବନ ବିକଳରେ ଆଶ୍ରା ନେଲେ।ଆଉ କେତେକ ଯାଇ ନପାରି କଂସର ଆଶ୍ରା ନେଲେ।
ଦେବକୀ ଙ୍କର ଛଅ ପୁତ୍ରଙ୍କୁ କଂସ ନାଶ କଲା। ଦେବକୀ ଙ୍କର ବିକଳ ଦେଖି ଭଗବାନ ଅନନ୍ତ ରୂପ ଧରି ଦେବକୀ ଗର୍ଭରେ ରହିଲେ।
“ହରିର କଳାରେ ଅନନ୍ତ।
ଆଗେ ହୋଇବେ ଗର୍ଭଗତ।।” ଆଠ ମାସ ଗର୍ଭରେ ରହି ପ୍ରଭୁ ଅନନ୍ତ ଦିନକୁ ଦିନ ବଢିବାକୁ ଲାଗିଲେ। ଦେବକୀ ଅସହ୍ୟ ଗର୍ଭ ବେଦନା ମଧ୍ୟରେ ମନେ ମନେ ପ୍ରଭୁ ଭଗବାନଙ୍କୁ ପ୍ରାର୍ଥନା କରି କହିଲେ,”କେତେ ଗର୍ଭ କଷ୍ଟ ସହିବି। କିନ୍ତୁ କୋଳରେ ସନ୍ତାନ ଧରି ପାରିବି ନାହିଁ।” ଭଗବାନ ବିଷ୍ଣୁ ଦେବକୀ ଙ୍କର ମନ କଥା ଜାଣି ଦୁର୍ଗାଙ୍କୁ ନିକଟରେ ବସାଇ କହିଲେ,
“ଅମ୍ବିକା ଶୁଣ ମୋ ଉତ୍ତର।
ବହନ ଯାଅ ମଞ୍ଚପୁର।।”
“ମଥୁରା-କଂସ-ବନ୍ଦୀଘରେ।
ମିଳିବୁ ପ୍ରଥମ ପ୍ରହରେ।।
ବନ୍ଦୀ କରିଛି କଂସରାୟେ।
ଏକ ଶାଙ୍କୋଳି ବେନି ପ୍ରାୟେ।।
ବସୁଦେବଙ୍କୁ ଯେତେବେଳେ।
ଧରି ଆଣିଲା କଂସ ବଳେ।।
ତାହାର ପତ୍ନୀ ନନ୍ଦଘରେ।
ଯାଇ ଲୁଚିଲା କଂସ ଡରେ।।
ରୋହିଣୀ ନାମ ବିଦ୍ୟମାନ।
ତାହାର ଗର୍ଭ ଅଛି ଶୂନ୍ୟ।।
ଦେବକୀ ଦେବୀ ନିଦ୍ରା କାଳେ।
ଗର୍ଭ ହରିବୁ ଯୋଗବଳେ।
ମିଳିବୁ ନନ୍ଦଘରେ ଯାଇ।
ରୋହିଣୀ ଗର୍ଭେ ତାହା ଥୋଇ।।”
“ଶୁଣ ବଚନ ଆଦିମାତା।
ଫେଡ ଦେବକୀ ମନଚିନ୍ତା।।
ଦେବକୀ ଗର୍ଭୁ ତା ଆଣିବୁ।
ରୋହିଣୀ ଗର୍ଭରେ ଥୋଇବୁ।।
ତାହାଙ୍କ ନାମ ସଙ୍କର୍ଷଣ।
ଲୋକରେ ହୋଇବେ ପ୍ରମାଣ।।
ନାମ ହୋଇବ ବଳରାମ।
ବଳେ ନୋହିବେ କେହି ସମ।।
ଶୁଣି ଆନନ୍ଦମନା ହୋଇ।
ମଞ୍ଚ ଚଳିଲେ ମହାମାୟୀ।।
ହରି ଆଦେଶ ଘେନି ଶିରେ।
ମିଳିଲେ ମଥୁରା ନଗରେ।।
କଂସ ରାଜାର ବନ୍ଦୀଘରେ।
ମିଳିଲେ ପ୍ରଥମ ପ୍ରହରେ।।
ରାତ୍ରେ ଦେବକୀ ନିଦ୍ରା କାଳେ।
ଗର୍ଭ ହରିଲେ ଯୋଗବଳେ।।
ଅନନ୍ତ ଘେନି ମାୟା ଦମ୍ଭେ।
ଥୋଇଲେ ରୋହିଣୀର ଗର୍ଭେ।।
ଗର୍ଭ ସଂଯୋଗ ଦେବୀ କରି।
ଦିନକୁ ଦିନ ଗର୍ଭ ଭାରି।।
ସିଂହ ପୌର୍ଣ୍ଣମୀ ଦିନ ସାର।
ରୋହିଣୀ ପ୍ରସବେ କୁମର।।
ଧବଳ ଜ୍ଯୋତି ରୂପ ପୁଣି।
ଶିରେ ଶୋହଇ ସପ୍ତଫଣୀ।।
ଅପୁଆ ଘରେ ପୁଅ ଜାତ।
ଆନନ୍ଦ ହୋଏ ନନ୍ଦ ଚିତ୍ତ।।
ମୋହର ଘରେ ପୁଅ ନାହିଁ।
ଏ ମୋତେ କାରଣ ଅଟଇ।।
ଯାହା ସେ ଦଇବ ନିର୍ମିତ।
ଦୁର୍ଗା ହୋଇଲେ ଗର୍ଭଗତ।।
ମିଳିଲେ ନନ୍ଦଘରେ ଯାଇ।
କୃଷ୍ଣ ଜନ୍ମିବା ବାଟ ଚାହିଁ।”
ବଳରାମ ଙ୍କର ଅନେକ ନାମ ମଧ୍ୟରେ ବଳଦେବ, ବଳଭଦ୍ର ଓ ହଳଧର ଆଦି ନାମ ପ୍ରଧାନ।
ପୁର୍ବ ପ୍ରବନ୍ଧରେ ସବିଶେଷ ବର୍ଣ୍ଣନା କରାଯାଇଛି।ପୁରୀ ଶ୍ରୀମନ୍ଦିରରେ ବଳଦେବଙ୍କ ଜନ୍ମ ନୀତି ପାଳିତ ହୁଏ।ମାଟି ପିତୁଳାକୁ ବଳଭଦ୍ରଙ୍କ ପ୍ରତୀକ ରୂପେ ବିଭିନ୍ନ ରୀତିନୀତିରେ ପୂଜା କରାଯିବା ସହିତ ଭଉଣୀ ସୁଭଦ୍ରା ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।
କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ବଳଭଦ୍ରଙ୍କ ଜନ୍ମନୀତି ମହା ଆଡ଼ମ୍ବରରେ ପାଳିତ ହୁଏ।

ଗାଇ ବଳଦ ମାନଙ୍କୁ କୃଷିର ଦେବତା ବଳରାମଙ୍କ ପ୍ରତୀକ ଭାବରେ ପୂଜା କରାଯାଏ।ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ହେଉଛି ରକ୍ଷା କବଚ ସ୍ଵରୂପ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣୀମା ଆସିଲେ ମନେ ପଡ଼ନ୍ତି ହୁମାୟୁନ ଓ କର୍ଣ୍ଣାବତୀ, ଆଲେକଜାଣ୍ଡାର ଙ୍କ ପତ୍ନୀ ଓ ପୁରୁ, ଚନ୍ଦ୍ରଶେଖର ଆଜାଦ୍ ଓ ନିରାଶ୍ରୟା ବୃଦ୍ଧା।ପୁରାଣ ପୃଷ୍ଠାରେ ଭାଇ ଭଉଣୀ ସମ୍ପର୍କର ସୁତା ରାକ୍ଷୀକୁ ନେଇ ରାଜା ବଳୀ ଓ ମାଁ ଲକ୍ଷ୍ମୀ, ଶ୍ରୀକୃଷ୍ଣ ଓ ଦ୍ରୌପଦୀ ଆଦି ଉପାଖ୍ୟାନ।
ଆଜି ପବିତ୍ର ଦିବସରେ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ଅଜସ୍ର ଶୁଭେଚ୍ଛା ଓ ସମ୍ମାନ ସହିତ ଶୁଭକାମନା ଜଣାଉଛି।।
ଆଲେଖ୍ୟ:: ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।