ଆସୁଛି ବାତ୍ୟା ଓଡିଶା ରେ ପ୍ରବଳ ବର୍ଷା

ଲଘୁଚାପ ଘନୀଭୂତ ହୋଇ ଅବପାତ ହୋଇ ସାରିଲାଣି । ଶନିବାରକୁ ହେବ ଗଭୀର ଅବପାତ । ରବିବାର (୩ ତାରିଖରେ) ନେବ ବାତ୍ୟା ରୂପ । ୫ ତାରିଖ ସକାଳେ ମାଡ଼ ହେବ ଆନ୍ଧ୍ର ଉପକୂଳର ନେଲ୍ଲୋରରୁ ମଛଲିପଟ୍ଟନମ ଭିତରେ ।ଏହାର ପ୍ରଭାବରେ ୫ରୁ ୭ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ବାତ୍ୟା ଯୋଗୁ ଉପକୂଳରେ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଅମଳ ହେବାକୁ ଧାନ ସହ ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମର ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି ।ପବନର ଝଟ୍‌କା ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ର ସଂଲଗ୍ନ ଉପକୂଳ ଅଞ୍ଚଳ ଦେଇ ଆଗକୁ ବଢ଼ିବ । ଏହା ପ୍ରଭାବରେ ୪ ତାରିଖ ସନ୍ଧ୍ୟାରୁ ୩୫ରୁ ୪୫ କିମି ବେଗରେ ପବନ ବହିବ ଓଡ଼ିଶା ଉପକୂଳରେ (ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ । ପବନ ଝଟକା ୫୫ କିମି ଯାଏଁ ଯାଇପାରେ ।