ଇଡି ଖୋଳିବ ଖଣିବାବୁଙ୍କ କାରନାମା ! ଇଡି ମାଗିଲା ତଥ୍ୟ
ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ ବେଳେ ମିଳିଥିଲା ୪ କୋଟି କ୍ୟାସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ ମହାନ୍ତି ।ଏବେ ପ୍ରଶ୍ନ ଉଠୁଛି, ଟଙ୍କା କେଉଁଠୁ ଆଣୁଥିଲେ ? କେଉଁ ବାବଦକୁ ଆଣୁଥିଲେ ? କେତେ ଲୁଟିଥିଲେ ? କାହା କାହାକୁ କେତେ ଭାଗ ଦେଇଛନ୍ତି ? ବିଶେଷକରି ଦେବବ୍ରତଙ୍କ ମୁଣ୍ଡରେ ହାତ ରଖିଥିବା ମୁଖ୍ୟ କାର୍ପଟଦାର କିଏ ?ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ । ଚଳିତବର୍ଷ ଜାନୁଆରୀ ୭ରେ କଟକରେ ଡେପୁଟି ଡାଇରେକ୍ଟର ମାଇନ୍ସ ଭାବେ ଯୋଗ ଦେଇଥିଲେ । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଦଶପଲାର ମେଜର ଓ ମାଇନର ମିନେରାଲ ବାବୁଙ୍କ ଅଧୀନରେ ଥିଲା । ୨୦୨୮ ମେ’ରେ ନେଇଥାନ୍ତେ ଅବସର ହେଲେ ତା ପୂର୍ବରୁ ଲାଞ୍ଚ ମାମଲାରେ ଜେଲ ହାଜତକୁ ଯାଇଛନ୍ତି ଦେବବ୍ରତ।ଭିଜିଲାନ୍ସ ଚଢ଼ାଉରେ ଆଜିଯାଏଁ ଜବତ ହୋଇଥିବା ନଗଦ ଟଙ୍କାର ସର୍ବକାଳୀନ ରେକର୍ଡ । ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭଡ଼ା ଘରର ଦୃଶ୍ୟ କାଲି ଥିଲା କିଛି ଏମିତି । ଗୋଟିଏ ପରେ, ଗୋଟିଏ ଟଙ୍କା ବିଡ଼ା ଗଣା ଚାଲିଛି । ଥାକ ଥାକ କରି ଟ୍ରଲି ବ୍ୟାଗରେ ଖଞ୍ଜା ହୋଇ ରଖାଯାଉଛି । ଯୁଆଡ଼େ ହାତ ବୁଲାଉଥିଲେ ଭିଜିଲାନ୍ସ ଅଧିକାରୀ ସିଆଡୁ ମିଳୁଥିଲା ଟ୍ରଲି ବ୍ୟାଗ ଭିତରୁ ନଗଦ ଟଙ୍କା । ଦୃଶ୍ୟ ଦେଖି ଭିଜିଲାନ୍ସ ଅଧିକାରୀ ବି ହୋଇଯାଇଥିଲେ ତାଜୁବ । ଗଣି ଗଣି ହାଲିଆ ବ୍ୟାଙ୍କ ଓ ଭିଜିଲାନ୍ସ କର୍ମଚାରୀ ।
