ଇରାନର ଇସଫାହାନ ପରମାଣୁ କେନ୍ଦ୍ର ଉପରେ ଆମେରିକାର ଭୟଙ୍କର ଆକ୍ରମଣ
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭିଯାନ ଶେଷ କରିବାକୁ ସଙ୍କେତ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ହବ୍ ”ଇସଫାହାନ” ଉପରେ ଶକ୍ତିଶାଳୀ ”ବଙ୍କର-ବଷ୍ଟର” ବୋମା ସାହାଯ୍ୟରେ ଆକ୍ରମଣ କରିଛି। ଏହି ଅପରେସନରେ ୨,୦୦୦ ପାଉଣ୍ଡ ବିଶିଷ୍ଟ ଅନେକ ବିସ୍ଫୋରକ ବ୍ୟବହାର କରାଯାଇ ଇରାନର ଭୂତଳ ଗୋଳାବାରୁଦ କେନ୍ଦ୍ରକୁ ଧ୍ୱଂସ କରାଯାଇଛି। ଏହି ଆକ୍ରମଣର ଏକ ଭିଡିଓ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ”ଟ୍ରୁଥ୍ ସୋସିଆଲ”ରେ ମଧ୍ୟ ସେୟାର କରିଛନ୍ତି।ରିପୋର୍ଟ ଅନୁଯାୟୀ, ଇରାନ ତାର ପ୍ରାୟ ୫୪୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମ ଏହି ଭୂତଳ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲା, ଯାହାକୁ ନଷ୍ଟ କରିବା ଆମେରିକାର ମୁଖ୍ୟ ଲକ୍ଷ୍ୟ ଥିଲା। ଭିଡିଓରେ ଏକାଧିକ ବିସ୍ଫୋରଣ ପରେ ଆକାଶରେ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଛି, ଯାହା ସେଠାରେ ଗଚ୍ଛିତ ଥିବା ବିସ୍ଫୋରକର ବିନାଶକୁ ସୂଚାଉଛି।ଏହି ଭୟଙ୍କର ଆକ୍ରମଣ ସତ୍ତ୍ୱେ ରାଷ୍ଟ୍ରପତି ଟ୍ରମ୍ପ ଏହି ସାମରିକ ଅଭିଯାନକୁ ଶେଷ କରିବାକୁ ଚାହୁଁଥିବା ଜଣାପଡ଼ିଛି। ଅନ୍ୟପଟେ ପରମାଣୁ ଅପପ୍ରସାର ଚୁକ୍ତି (ଏନପିଟି)ରୁ ଓହରିଯିବା ଲାଗି ଇରାନ ଯୋଜନା କରୁଛି। ଏ ସମ୍ପର୍କରେ ଇରାନ ପାର୍ଲାମେଣ୍ଟରେ ଆଲୋଚନା କରାଯାଇଛି। ଏନପିଟିରୁ ଇରାନ ଓହରିବା ଦ୍ବାରା ପରମାଣୁ ଅସ୍ତ୍ର ତିଆରି କରିବା ଲାଗି ଏହା ଆନ୍ତର୍ଜାତିକ କଟକଣାରୁ ମୁକ୍ତ ହୋଇପାରିବ। ଅର୍ଥାତ୍ ଇରାନ ଏହାର ପରମାଣୁ କେନ୍ଦ୍ରକୁ ଆନ୍ତର୍ଜାତିକ ଯାଞ୍ଚ ନିମନ୍ତେ ଅନୁମତି ଦେବାକୁ ବାଧ୍ୟ ହେବ ନାହିଁ।
